ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ
  •  ଉଦ୍‌ବେଗ ପ୍ରକାଶ କଲା ‘ହାରୋ’
  • ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ
  • ହୋଟେଲ ଉପରୁ ୠଣ ଛାଡ଼ ଦାବି
  • ଜିଏସ୍‌ଟି ଛାଡ଼ କରିବାକୁ ଅପିଲ୍‌ କଲା ହାରୋ
  • ହୋଟେଲ କର୍ମଚାରୀଙ୍କ ଦରମା ଓ ପିଏଫ୍‌, ଇଏସ୍‌ଆଇ ଖର୍ଚ୍ଚ ବହନ କରନ୍ତୁ ସରକାର

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବିଶ୍ୱର ପ୍ରମୁଖ ଦେଶ। ଏହି କରୋନା ମାଡ଼ରୁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ଓଡ଼ିଶା (ହାରୋ) ମଧ୍ୟ ବାଦ୍‌ ପଡ଼ିନି। ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବାକୁ ଯାଉଛି। ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବା ପାଇଁ ହାରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି।

ନିକଟରେ ଓଡ଼ିଶାର ହୋଟେଲିୟର୍ସ୍‌, ଟୁର୍ ଅପରେଟର ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ବସିଥିଲା। ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପର ଭବିଷ୍ୟତକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। କରୋନା ପ୍ରଭାବରୁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କେମିତି ବଞ୍ଚିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

କରୋନାକୁ ରାଜ୍ୟ ‘ବିପର୍ଯ୍ୟୟ’ ଘୋଷଣା କରିଛନ୍ତି ସରକାର। କରୋନାଠାରୁ ଦୂରେଇ ରହିବା ପାଇଁ ‘ସାମାଜିକ ଦୂରତା’ କଥା କହୁଛନ୍ତି ସରକାର। ଏହାସହ ଟ୍ରାଭେଲ୍‌ସ, ହୋଟେଲ, ରେସ୍ତୋରାଁ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହାକୁ ନେଇ ହାରୋର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଓଡ଼ିଶାର ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ହାରୋ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

ସ୍ଥିତି ସ୍ୱାଭାବିକ ନହେବା ଯାଏଁ ହୋଟେଲିୟରମାନଙ୍କୁ ୠଣ ଛାଡ, ଜିଏସ୍‌ଟି ଛାଡ଼ ସହିତ ବିଭିନ୍ନ ଫି’ ଛାଡ଼ କରିବାକୁ ଦାବି କରିଛି ହାରୋ। ଏହାସହ ହୋଟେଲ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କ ପିଏଫ୍‌, ଇଏସ୍‌ଆଇ ଏବଂ ଦରମା ରାଜ୍ୟ ସରକାର ବହନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛି ହାରୋ।

ବ୍ୟାଙ୍କ ୠଣ ଛାଡ଼ କରାଯାଉ

ଅଧିକାଂଶ ହୋଟେଲ ମାଲିକମାନେ ବିଭିନ୍ନ ବ୍ୟାଙ୍କରୁ ୠଣ ଆଣି ବ୍ୟବସାୟ କରୁଛନ୍ତି। ହେଲେ କରୋନା ପ୍ରଭାବରେ ହୋଟେଲ ବ୍ୟବସାୟରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ପରିସ୍ଥିତିରେ ପ୍ରତି ମାସରେ ବ୍ୟାଙ୍କର କିସ୍ତି ଦେବା ସମ୍ଭବ ହେବ ନାହିଁ। ଏଣୁ ସ୍ଥିତି ସ୍ୱାଭାବିକ ନହେବା ଯାଏଁ ୠଣ ଛାଡ଼ କରିବାକୁ ହାରୋ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି। ହୋଟେଲ ଶିଳ୍ପର ସମସ୍ୟାକୁ ବିଚାରକୁ ନେଇ ରାଜ୍ୟ ସରକାର ବ୍ୟାଙ୍କମାନଙ୍କ ସହ ଆଲୋଚନା କରିବାକୁ ହାରୋ ଚିଠିରେ ଉଲ୍ଲେଖ କରିଛି।

ଜିଏସ୍‌ଟି ଛାଡ଼ କରିବାକୁ ହାରୋର ଦାବି

କରୋନା ପ୍ରଭାବରେ ଓଡ଼ିଶା ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ହଲ୍‌ଚଲ୍‌ ହୋଇଯାଇଛି। ଯେତିକି ସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶାକୁ ଆସୁଥିଲେ କରୋନା ପାଇଁ ବିଭିନ୍ନ କଟକଣା ଲାଗୁ ହେବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି। ଫଳରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଚିନ୍ତାରେ ପଡ଼ିଛନ୍ତି। ଏଣୁ ସ୍ଥିତିରେ ସୁଧାର ନଆସିବା ଯାଏଁ ରାଜ୍ୟ ସରକାର ହୋଟେଲଗୁଡ଼ିକ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ ହାରୋ ଦାବି କରିଛି। ଏନେଇ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବାକୁ ହାରୋ ଦାବି କରିଛି।

ହୋଟେଲ କର୍ମଚାରୀଙ୍କ ଦରମା ବହନ କରନ୍ତୁ ସରକାର

କରୋନା ଯୋଗୁଁ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ସରକାର ଯେଉଁ କଟକଣା ଜାରି କରିଛନ୍ତି ସେଥିରେ ହୋଟେଲ ଶିଳ୍ପ ତିଷ୍ଠିବା ଉପରେ ଆଶଙ୍କା ଦେଖାଦେଇଛି। ଏଣୁ କର୍ମଚାରୀମାନଙ୍କୁ କେମିତି ଦରମା, ପିଏଫ୍‌ ଏବଂ ଇଏସ୍‌ଆଇ ସହାୟତା ଦିଆଯିବ ତାକୁ ନେଇ ହାରୋ ଉଦ୍‌ବେଗ ପ୍ରକାଶ କରିଛି। ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ କର୍ମଚାରୀମାନଙ୍କୁ ଦରମା ଦାୟିତ୍ୱ ନିଜେ ସରକାର ବହନ କରିବାକୁ ହାରୋ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।

‘‘କରୋନା ପ୍ରଭାବରେ ଓଡ଼ିଶାର ହୋଟେଲ ଓ ପର୍ଯ୍ୟଟନ ଶିଳ୍ପର ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଓଡ଼ିଶାରେ ପ୍ରାୟ ୫ ହଜାର ହୋଟେଲ ରହିଛି। ଏଥିରେ ୫୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। କରୋନା ପ୍ରଭାବରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପର ଅବସ୍ଥା କ’ଣ ହେବ ତାହା ଏବେଠୁ ଆକଳନ କରିବା ମୁସ୍କିଲ। ଏଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରିବା ଦରକାର’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି।

ସେ ଆହୁରି କହିଛନ୍ତି ଯେ, କରୋନା ସହ ମୁକାବିଲା କରିବା ପାଇଁ ସବୁ ହୋଟେଲ ମାଲିକମାନେ ଆଗକୁ ଆସିଛନ୍ତି। ହୋଟେଲ ପରିବେଶକୁ ସଫାସୁତୁରା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଅଧିକ ଲୋକବଳ ବିନିଯୋଗ କରାଯିବା ସହ ଏ ବାବଦରେ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏଣୁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାର ମଧ୍ୟ ପଦକ୍ଷେପ ନେବା ନିହାତି ଜରୁରୀ।

ଗତବର୍ଷ ହୋଇଥିବା ବାତ୍ୟା ଫନି ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଥିଲା। ଫନିରେ ଅଧିକାଂଶ ହୋଟେଲ କ୍ଷତି ସହିଥିଲା। କ୍ଷତିଗ୍ରସ୍ତ ହୋଟେଲମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ହାରୋ ଦାବି କରିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ହୋଟେଲମାନଙ୍କୁ କୌଣସି ସହାୟତା ମିଳି ନଥିବା ହାରୋ ପକ୍ଷରୁ କୁହାଯାଇଛି।

ଫନି ପରେ ଏବେ କରୋନା ମାଡ଼ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି। ହୋଟେଲ ଶିଳ୍ପ କେମିତି ବଞ୍ଚି ରହିବ ସେଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ନେବାକୁ ହାରୋ ପକ୍ଷରୁ ନିବଦେନ କରାଯାଇଛି।

ଏହି ବୈଠକରେ ହାରୋର ବରିଷ୍ଠ ସଦସ୍ୟ, ଟୁର୍‌ ଅପରେଟର, ବିଭିନ୍ନ ହୋଟେଲର ପ୍ରତିନିଧି, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here