ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଏମ୍‌ସିର କଥା ନମାନି ତଣ୍ଡ ଗଣିଲେ ରାଜଧାନୀର ବହୁ ହୋଟେଲ ଓ ରେସ୍ତୋରାଁ। କରୋନା ମୁକାବିଲା ପାଇଁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ଉପରେ କଟକଣା ଲଗାଇଥିଲେ। ଏହି କଟକଣା ମାର୍ଚ୍ଚ ୨୧ରୁ ଲାଗୁ ହୋଇଛି। ଶନିବାର ଏହି କଟକଣାକୁ ନମାନିବାରୁ ସିଜ୍‌ଲର ଫାଷ୍ଟ ଫୁଡ୍‌କୁ ବିଏମ୍‌ସି ସିଲ୍‌ କରିଛି। ସେହିପରି ନିମାପଡ଼ା ସୁଇଟ୍‌ସ ଓ ତନ୍ଦୁର ହଟ୍‌ ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି।

ଶନିବାର ବିଏମ୍‌ସିର ଏକ ଟିମ୍‌ ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ହୋଟେଲ, ରେସ୍ତୋରାଁ ଏବଂ ଖାଦ୍ୟ ଷ୍ଟଲ୍‌ଗୁଡ଼ିକର ବ୍ୟାପକ ଯାଞ୍ଚ କରିଥିଲା। ପଲିଥିନ୍‌ ବ୍ୟବହାର ଏବଂ ମାନକ ପରିଚାଳନା ପ୍ରଣାଳୀ(ଏସ୍‌ଓପି) ପାଳନ କରିନଥିବାରୁ ମାପଡ଼ା ସୁଇଟ୍‌ସ ଓ ତନ୍ଦୁର ହଟ୍‌ ଉପରେ ୫ ହଜାର ଟଙ୍କା, ରାମ ମନ୍ଦର ନିକଟସ୍ଥ ଫୁଡ୍‌ ଷ୍ଟଲ୍‌ ଉପରେ ୫ ହଜାର, ଭାଇ ଭାଇ ଫୁଡ୍‌ ଷ୍ଟଲ୍‌ ଉପରେ ୨ ହଜାର ଟଙ୍କା ଜରିମାନା ଲଗାଯାଇଛି।

ସେହିପରି ଏସ୍‌ଓପି ପାଳନ କରିନଥିବାରୁ ମଧୁସୂଦନ ନଗର ସ୍ଥିତ ସିଜ୍‌ଲର ଫାଷ୍ଟ ଫୁଡ୍‌କୁ ବିଏମ୍‌ସି ସିଲ୍‌ କରିଛି।

ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଭୂତାଣୁ କିଭଳି ନ ବ୍ୟାପିବ ଏଥିପାଇଁ ରାଜ୍ୟ ସରକାର ଜାଗ୍ରତ ହୋଇପଡ଼ିଛନ୍ତି। ସେହିପରି ଗୋଷ୍ଠୀଗତ ସଂକ୍ରମଣକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ପାଳନ କରିବାକୁ ସରକାର ପରାମର୍ଶ ଦେଉଛନ୍ତି।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ବିଭିନ୍ନ ଦୋକାନ ଉପରେ କଟକଣା ଲଗାଇଛନ୍ତି। କେଉଁ ଦୋକାନ ଖୋଲା ରହିବ ଏବଂ କେଉଁ ଦୋକାନ ବନ୍ଦ ରହିବ, ସେନେଇ ବିଏମ୍‌ସି ଏକ ତାଲିକା ଜାରି କରିଛି।

ଭୁବନେଶ୍ୱରରେ ଗହଣା, ଇଲେକ୍ଟ୍ରୋନିକ୍ସ ଓ ଫର୍ଣ୍ଣିଚର ଦୋକାନ ବନ୍ଦ ରଖିବାକୁ ବିଏମ୍ସି କଟକଣା ଜାରି କରିଛି। ଗାଡ଼ି, ସାଇକେଲ ସୋରୁମ୍, ସ୍ପୋର୍ଟସ୍ ଦୋକାନ, ଜୋତା ଓ ବ୍ୟାଗ୍ ସୋରୁମ୍, ମାର୍ବଲ ଟାଇଲ ଦୋକାନ ବନ୍ଦ ରହିବ।

ତେବେ ଗ୍ରୋସରି, ଔଷଧ ଭଳି ଅତ୍ୟାବଶ୍ୟକ ଦୋକାନ ଉପରେ କୌଣସି କଟକଣା ଲଗାଯାଇନାହିଁ। ପରିବା, ଫଳ, ମାଛ, ମାଂସ ଓ ଅଣ୍ଡା ଦୋକାନ ମଧ୍ୟ ଖୋଲା ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Comment