ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଡରରେ ସାରା ବିଶ୍ୱ। ସାମାଜିକ ଦୂରତା ଅଭାବରୁ ଦେଶ ବିଦେଶରେ କରୋନା କାୟା ମେଲାଇଲାଣି। ଅଣାୟତ ହେଉଛି ଗାଁରୁ ସହର। ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ଅମାନିଆ ଲୋକେ। ମଙ୍ଗଳବାର ରାତିରୁ ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ହେବାପରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଗୁଣୁପୁର ପାଟଣା ଗାଁରେ ହୋଇଛି ଗାଁ ଲକ୍ଡାଉନ୍।
ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଅନେକ ଲୋକେ ପାଣିପାଇପ୍ ମିସ୍ତ୍ରୀ ଭାବରେ ବାହାର ଦେଶ ଓ ବାହାର ରାଜ୍ୟରେ କାମ କରନ୍ତି। ଆଉ ଅନେକ ଭାରତର ବିଭିନ୍ନ କୋଣ ଅନୁକୋଣରେ ଦାଦନ ଖଟନ୍ତି। କରୋନା ଆସିବା ପରେ ଏବେ ଏହି ଗାଁ ଓ ଆଖପାଖ ଗାଁର ଲୋକମାନେ ଗାଁକୁ ଫେରିଛନ୍ତି। କରୋନା ସଂକ୍ରମିତ ଦେଶ ଓ ରାଜ୍ୟରୁ ଏମାନେ ଗାଁକୁ ଫେରିଥିଲେ ମଧ୍ୟ ଏମାନେ ନିଜ ଘରେ ଆଇସୋଲେସନରେ ନ ରହି ଏ ଗାଁରୁ ସେ ଗାଁ ବାଇକ୍ ଧରି ଚକ୍କର କାଟୁଛନ୍ତି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଘର ବୁଲୁଛନ୍ତି। ଏଥିପାଇଁ ପାଟଣା ଗାଁ ଲୋକେ କରୋନାରୁ ନିଜ ଗାଁକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅନ୍ୟ ଗାଁର, ବିଦେଶ ଓ ବାହାର ରାଜ୍ୟରୁ ଫେରନ୍ତା ଲୋକମାନଙ୍କୁ ଗାଁରେ ପ୍ରବେଶ ବନ୍ଦ କରିଛନ୍ତି।
ଏଥିପାଇଁ ଗାଁରେ ଥିବା ବିଭିନ୍ନ ପ୍ରବଶ ପଥକୁ ନାକାବନ୍ଦୀ କରିଛନ୍ତି ଗାଁ ଲୋକେ। କେଉଁଠି ବାଉଁଶ ବନ୍ଧା ଯାଇଛି ତ କେଉଁଠି ଗଛ ଡାଳ କାଟି ବାଟ ବନ୍ଦ କରାଯାଇଛି। ଗାଁରୁ ପ୍ରତିଘର ଲୋକେ ପାଳିକରି ଗାଁ ଜଗିବା ଆରମ୍ଭ କରିଛନ୍ତି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି। ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି ୟ। ସନ୍ଦେହଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା।
ଏହି ଗାଁର ଦୁଇଜଣ ଯୁବକ କେରଳରୁ ଫେରିଥିଲେ। ସେମାନଙ୍କ ଘରେ ଆଇସୋଲେସନରେ ରହିବା ବ୍ୟବସ୍ଥା ନଥିବାରୁ, ଗାଁ ଲୋକେ ଏମାନଙ୍କ ପାଇଁ ତିଆରି କରିଛନ୍ତି ଆଇସୋଲେସନ ଗୃହ। ଗାଁ ମୁଣ୍ଡରେ ଥିବା କ୍ଲବ ଘର ଏବେ ଏମାନଙ୍କ ପାଇଁ ଆଇସୋଲେସନ ଗୃହ ପାଲଟିଛି। ୧୪ ଦିନ ପାଇଁ ଏମାନଙ୍କୁ ଏହି କ୍ଲବ ଘରେ ରଖିଛନ୍ତି ଗାଁ ଲୋକେ।
ଗୁଣୁପୁର ପଟଣା ଗାଁର ଏମିତି ଲକ୍ଡାଉନ୍ର ବାର୍ତ୍ତା ଏବେ ଅନ୍ୟ ଗାଁମାନଙ୍କୁ ପ୍ରଭାବିତ କରିବ ବୋଲି ଆଶା କରିଛନ୍ତି ଗାଁ ଲୋକେ।













