ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁନିୟନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦାରେ ରହିବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ୍ ଫଣ୍ଡର ୨୮୭ କୋଟି ଟଙ୍କା। ଦୁଇ ବ୍ୟାଙ୍କରେ ସମାନ ପରିମାଣର ଟଙ୍କା ଗୋଟିଏ ବର୍ଷ ପାଇଁ ଫିକ୍ସଡ୍ ଡିପୋଜିଟ୍ କରି ରଖାଯିବ। ଏନେଇ ଗୁରୁବାର ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

କିଛି ଦିନ ତଳେ ୟେସ୍ ବ୍ୟାଙ୍କରେ ରହିଥିବା ୩୮୯ କୋଟି ଟଙ୍କାକୁ ଉଠାଇ ଅଣାଯାଇଥିଲା। ଏହା ମଧ୍ୟରେ ୧୦୨ କୋଟି ଟଙ୍କାକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ରଖାଯାଇଛି। ବାକି ୨୮୭ ଟଙ୍କାକୁ କେଉଁ ବ୍ୟାଙ୍କରେ ରଖାଯିବା ସେନେଇ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏହି ଟେଣ୍ଡର ପକ୍ରିୟାରେ ୟୁନିୟନ ବ୍ୟାଙ୍କ୍ ଓ ବ୍ୟାଙ୍କ୍ ଅଫ୍ ବରୋଦା ବାର୍ଷିକ ୬.୨୬ ପ୍ରତିଶତ ସୁଧ ଦେବାକୁ କହିଥିଲେ। ଫଳରେ ଜଗନ୍ନାଥଙ୍କ ଟଙ୍କା ଏହି ଦୁଇ ବ୍ୟାଙ୍କରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ୟେସ୍ ବ୍ୟାଙ୍କକୁ କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିଥିଲା। ଏହାପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ପାଣ୍ଠିର ୩୮୯ କୋଟି ଟଙ୍କାର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏହାପରେ ଯେତେବେଳେ ୟେସ୍ ବ୍ୟାଙ୍କ ନିଜର ସେବା ପୁଣିଥରେ ସ୍ୱାଭାବିକ କରିଥିଲା ସେତେବେଳେ ୩୮୯ କୋଟି ଟଙ୍କାକୁ ଉଠାଇ ଅଣାଯାଇଥିଲା। ବର୍ତ୍ତମାନ ଏହି ଟଙ୍କାର କିଛି ଅଂଶ ଷ୍ଟେଟ୍ ବ୍ୟାଙ୍କରେ ରହିଥିବାବେଳେ ଅନ୍ୟ ସମସ୍ତ ଟଙ୍କାକୁ ୟୁନିୟନ୍ ବ୍ୟାଙ୍କ୍ ଓ ବରୋଦା ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comment