ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାମାଜିକ ଦୂରତା ଭଙ୍ଗ ହେବାରୁ ପୁଣି ସ୍ଥାନାନ୍ତର ହେଲା ଭୁବନେଶ୍ଵରସ୍ଥିତ ୟୁନିଟ-୧ ହାଟ। ଏଜି ଛକସ୍ଥିତ ହାଟକୁ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରିଛି ପୋଲିସ। ହାଟରେ ଗ୍ରାହକମାନେ ୧ ମିଟର ଦୂରତା ରକ୍ଷା ନକରିବାରୁ କମିସନରେଟ୍ ପୋଲିସ ଏହି ପଦକ୍ଷେପ ନେଇଛି।
ଏହାସହ ୟୁନିଟ-୪ ହାଟରେ ବ୍ୟବସାୟୀ ଓ ଗ୍ରାହକମାନେ ସାମାଜିକ ଦୂରତା ଗାଇଡଲାଇନ୍ ଭଙ୍ଗ କରିବାରୁ ପୋଲିସକୁ ଲାଠି କରିବାକୁ ପଡ଼ିଛି।
ୟୁନିଟ୍-୧ ହାଟରେ ଭିଡ଼ ନିୟନ୍ତ୍ରଣ ନହେବାରୁ ଗତକାଲି ଭୁବନେଶ୍ଵର ମହାନଗର ନିଗମ ସେଠାକାର ବ୍ୟବସାୟୀଙ୍କୁ ଏଜି ଛକଠାରୁ ରାଜ ମହଲଛକ ଭିତରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ହାଟରେ ସାମାଜିକ ଦୂରତା ରକ୍ଷା କରିବାକୁ ଉଭୟ ବ୍ୟବସାୟୀ ଗ୍ରାହକଙ୍କୁ ନିବେଦନ କରାଯାଇଥିଲା। ହେଲେ ଆଜି ସକାଳୁ ହାଟରେ ବ୍ୟବସାୟୀ ଓ ଗ୍ରାହକ ଏହାକୁ ଅବମାନନା କରିଥିଲେ। ଫଳରେ ବାଧ୍ୟ ହୋଇ କମିସନରେଟ୍ ପୋଲିସ ପରିବା ବ୍ୟବସାୟୀଙ୍କୁ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରିଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାରମ୍ବାର ଲୋକଙ୍କୁ ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତା ରକ୍ଷା କରିବାକୁ ସାରା ଦେଶ ୨୧ ଦିନ ପାଇଁ ଲକ୍ଡାଉନ ଘୋଷଣା ହୋଇଛି। ଲକ୍ଡାଉନ ନିୟମକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ।














