ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ବର୍ଷଠାରୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଲଗାତାର ରାଜ୍ୟରୁ ୧୦ ହଜାରରୁ ଊର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ମଧ୍ୟ ରାଜ୍ୟରୁ ୧୧,୬୦୭ ଜଣ ନୂଆ କରୋନା ପଜିଟିଭ୍ ବାହାରିଛନ୍ତି। ଅନ୍ୟପକ୍ଷେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ଚିନ୍ତାର କାରଣ ହୋଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନ୍‌ରୁ ୬,୭୨୮ ଜଣ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୪,୮୭୯। ସେହିପରି ୧୮ ବର୍ଷରୁ କମ୍ ବୟସର ୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ କରୋନା ପଜିଟିଭ୍ ବାହାରିଛନ୍ତି। ଏହାପରେ ଦ୍ଵିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ୧,୨୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସମସ୍ତ ଜିଲ୍ଲାରୁ ମଧ୍ୟ ଏକାଧିକ ପଜିଟିଭ୍ ବାହାରିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏଯାବତ୍ ୧୦ ଲକ୍ଷ ୭୩ ହଜାର ୭୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୮୪,୭୭୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।ସଂକ୍ରମଣ ବଢୁଥିଲେ ମଧ୍ୟ ପୂର୍ବ ଅପେକ୍ଷା କରୋନା ଘାତକ ହେଉନାହିଁ। ଆକ୍ରାନ୍ତଙ୍କ ମଧ୍ୟରୁ ଖୁବ୍ କମ୍ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସେହିପରି ପ୍ରାୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅକ୍ସିଜେନ୍ ମଧ୍ୟ ଆବଶ୍ୟକ ହେଉନାହିଁ।

Comment