ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ତୃତୀୟ ଲହର ଶେଷ ହେବାକୁ ବସିଛି। କୋଭିଡ ସଂକ୍ରମଣ ହାର ମଧ୍ୟ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଘୋଷଣା ଅନୁଯାୟୀ ସୋମବାର ସାକାଳ ୧୦ଟାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିଛି। ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟ ପକ୍ଷରେ କୋଭିଡ଼ ଲକ୍ଷଣ ଥିଲେ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ନଆସିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀର ସ୍କୁଲ ଓ କଲେଜ ଖୋଲିବା ସହ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସି ପାଠପଢ଼ା ଆରମ୍ଭ କରିଛନ୍ତି। କୋଭିଡର ସମସ୍ତ ନିୟମ ପାଳନ କରାଯାଇ ପାଠପଢ଼ା ଆରମ୍ଭ ହୋଇଛି। ସ୍କୁଲ ପରିସରକୁ ସଫାସୁତର ରଖାଯିବା ସହ ଶ୍ରେଣୀ ଗୃହଗୁଡ଼ିକୁ ସାନିଟାଇ କରାଯାଇଛି। ମାସ୍କ ପରିଧାନ କରି ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ନିର୍ଦ୍ଧାରିତ ବ୍ୟବଧାନରେ ବସି ପାଠ ପଢ଼ୁଛନ୍ତି। ପ୍ରାୟ ୮୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇଥିବାର ଦେଖିବାକୁ ମିଳିଛି। ବିଭିନ୍ନ ସ୍କୁଲ ଓ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅଭିନବ ଢ଼ଙ୍ଗରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି।

ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍‌ଲାଇନ୍ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି। ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧିନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି। ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ସମସ୍ତ ଛାତ୍ରଛାତ୍ରୀ ପାଇଁ ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବ ନାହିଁ। ପୂର୍ବପରି ଅନଲାଇନ୍ ପାଠପଢ଼ା ମଧ୍ୟ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Comment