ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସଜନିତ ସଂକ୍ରମଣ ବିରୋଧରେ ଭାରତ ଏକ ବଡ଼ ଧରଣର ଲଢ଼େଇ ଆରମ୍ଭ କରିଛି,ଆଉ ଏହି ଲଢ଼େଇ ଚୀନକୁ ବି ଟପି ଯାଇଛି। ଏହି ଘାତକ ସଂକ୍ରାମକ ରୋଗର ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡ ତିଆରି କାମ ଜୋରସୋରରେ ଚାଲିଛି। ଭାରତୀୟ ରେଳର ଡ଼ବାମାନଙ୍କରେ ଲକ୍ଷ ଲକ୍ଷ ବେଡ୍ ତିଆରି କରାଯାଉଛି। ଏଥିସହିତ ଅନେକଗୁଡ଼ିଏ ହସ୍ପିଟାଲରେ ମଧ୍ୟ କରୋନା ୱାର୍ଡମାନ ତିଆରି କରୁଥିବା ଖବର ମିଳିଛି।

ରେଳ ବିଭାଗ ପକ୍ଷରୁ ୨୦ ହଜାର କୋଚକୁ ପୃଥକ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ସେ ନେଇ  ଖୁବ ଶୀଘ୍ରକାମ ଆରମ୍ଭ ହେବ। କୋଚରେ ତିଆରି ହେଉଥିବା କରୋନା ୱାର୍ଡ ପାଇଁ ଆବଶ୍ୟକ ହେଉଥିବା ମାନବ ସମ୍ବଳ ଯଥା ସଶସ୍ତ୍ର ସେନା,ମେଡିକାଲ ଷ୍ଟାଫ ପାଇଁ ଆୟୁଷ୍ମାନ ଭାରତ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟଠାରୁ ରେଳବୋର୍ଡ଼ ପକ୍ଷରୁ ପରାମର୍ଶ ମଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ବେଡ୍ ପ୍ରସ୍ତୁତ ହେବ। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ୫ ହଜାର କୋଚକୁ ବେଡରେ ପରିଣତ କରିବା କାମ ଆରମ୍ଭ ହୋଇସାରିଛି। ଏଥିରୁ ୮୦ ହଜାର ବେଡ୍ ବାହାରିପାରିବ।

ରେଳ ବିଭାଗ ପକ୍ଷରୁ କରୋନା ବେଡ୍ ତିଆରି ହେବା ପୂର୍ବରୁ କେତେକ ରାଜ୍ୟରେ ବି ଏହି ଧରଣର ବେଡ଼ ତିଆରି ସରିଛି। ଗୁଜରାଟରେ ମାତ୍ର ୬ ଦିନ ମଧ୍ୟରେ ୨୨୦୦ ବେଡର ହସ୍ପିଟାଲ ତିଆରି ହୋଇଛି। ଅହମଦାବାଦ, ରାଜକୋଟ,ସୁରଟ ଓ ବରୋଦାରେ ଏହା ତିଆରି ହୋଇଛି। ଓଡ଼ିଶାରେ ବି ଚୀନ ଭଳି ଏକ ହଜାର ବେଡ୍ ପାଇଁ ଭୁବନେଶ୍ୱରର ଦୁଇଟି ବଡ଼ ହସ୍ପିଟାଲ ସହିତ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଓଡ଼ିଶାର ଏହି କରୋନା ହସ୍ପିଟାଲ ହେବ ଦେଶର ସବୁଠାରୁ ବଡ଼ ହସ୍ପିଟାଲ।

କରୋନା ଯୁଦ୍ଧରେ ଦେଶର ଶିଳ୍ପପତି ମାନେ ବି ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଥିବାରୁ ରିଲାଏନ୍ସ ଦୁଇ ସପ୍ତାହ ମଧ୍ୟରେ ୧୦୦ ବେଡର ଏକ ହସ୍ପିଟାଲ ଖୋଲିଦେଇ ପାରିଛି।

Comment