ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଲକ୍ଡାଉନ ଯୋଗୁଁ ନିଜ ମା’ଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ ଦୂରଦର୍ଶନ କାର୍ଯ୍ୟ କରୁଥିବା ଜଣେ ଇଂଜିନିୟର। ବିଶାଖାପାଟଣାର ମୂରଲୀ ନଗରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଆନ୍ଧ୍ରପ୍ରଦେଶର ଦୂରଦର୍ଶନ ବିଭାଗରେ ଇଂଜନିୟର ଭାବେ କାର୍ଯ୍ୟ କରନ୍ତି ପ୍ରବାସୀ ଓଡ଼ିଶା ରଞ୍ଜିତ କୁମାର ବେହେରା। ବ୍ରହ୍ମପୁର ସହରରେ ତାଙ୍କ ଘର। ବାର୍ଦ୍ଧକ୍ୟ ଯୋଗୁଁ ବୁଧବାର ବିଳମ୍ବିତ ରାତିରେ ରଞ୍ଜିତଙ୍କ ମା’ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ହେଲେ ଲକ୍ଡାଉନ ଯୋଗୁଁ ରଞ୍ଜିତଙ୍କ ସହ ତାଙ୍କ ଭାଇ ଭଉଣୀମାନେ ମଧ୍ୟ ମା’ଙ୍କୁ ଦେଖି ପାରିନଥିଲେ। କୌଣସି ମତେ ତାଙ୍କ ସାନ ଭାଇ ପହଞ୍ଚି ମା’ଙ୍କ ଅନ୍ତିମ ସଂସ୍କାର କରିଥିଲେ।
ରଞ୍ଜିତ କହିଛନ୍ତି,”ଲକ୍ଡାଉନ ଯୋଗୁଁ ଏବେ ଗମନାଗମନ ସୁବିଧା ନାହିଁ। ଏହାଛଡ଼ ମୋତେ ଘରକୁ ଯିବାକୁ ହେଲେ ୩ଟି ଜିଲ୍ଲା ସହ ୨୦ରୁ ଅଧିକା ଚେକ ପୋଷ୍ଟ୍ ଦେଇ ଯିବାକୁ ପଡ଼ିବ। ଏହି ସମୟରେ ମୋତେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେବ। ଫଳରେ କରୋନା ସଂକ୍ରମଣର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ମୁଁ ସ୍ଵାର୍ଥ ପାଇଁ ଦେଶକୁ ସଙ୍କଟକୁ ଠେଲି ଦେଇ ପାରିବି ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଡାଉନ ଶେଷ ହେବା ପରେ ସେ ମା’ଙ୍କ ଅନ୍ୟାନ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି।
ଆନ୍ଧ୍ରପ୍ରଦେଶର ମଧ୍ୟ କରୋନା ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନ ସୁଦ୍ଧାରେ ସେଠାରେ ୧୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ବିଶାଖାପାଟଣାରେ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାରାଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍ଡାଉନ ଘୋଷଣା କରାଯାଇଛି।













