ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା। ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହସ୍ପିଟାଲର ୧୦୮ ଜଣ କର୍ମଚାରୀ କ୍ୱାରେଣ୍ଟାଇନରେ ଅଛନ୍ତି। ୨୩ ଜଣଙ୍କୁ ହସ୍ପିଟାଲରେ ଏବଂ ୮୫ ଜଣଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରଖାଯାଇଛି।
ହସ୍ପିଟାଲର ଡାକ୍ତର, ନର୍ସ, ଅନ୍ୟ କର୍ମଚାରୀମାନଙ୍କୁ ମେଡିକାଲ କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନରେ ପଠାଇ ଦେଇଛନ୍ତି।
ଦୁଇ ଜଣ ବ୍ୟକ୍ତି ଅନ୍ୟ କୌଣସି ରୋଗର ଚିକିତ୍ସା ପାଇଁ ଗଙ୍ଗାରାମ ହସ୍ପିଟାଲ ଆସିଥିଲେ। ପ୍ରାଥମିକ ଅବସ୍ଥାରେ କରୋନାର କୌଣସି ଲକ୍ଷଣ ସେମାନଙ୍କଠାରେ ଦେଖାଯାଇନଥିଲା। କିନ୍ତୁ ପରୀକ୍ଷା ପରେ ଜଣାପଡ଼ିଲା ଯେ, ସେମାନଙ୍କ ପାଖରେ କରୋନା ପଜିଟିଭ୍ ରହିଛି।
ଏହି ଚିକିତ୍ସା ସମୟରେ ହସ୍ପିଟାଲର କିଛି ଡାକ୍ତର ଏବଂ ନର୍ସ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ତାଙ୍କ ସଂସ୍ପର୍ଶରେ ଆସିଥିବାର ଜଣାପଡ଼ିଛି। ବର୍ତ୍ତମାନ ସମସ୍ତ ୧୦୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।
ସେହିପରି ଦିଲ୍ଲୀର ଆଉ ଏକ ଘରୋଇ ହସ୍ପିଟାଲ (ରାମ ମନୋହର ଲୋହିଆ ହସ୍ପିଟାଲ) ରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ କିଛି ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।
ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୬ରେ ପହଞ୍ଚିଥିବା ବେଳେ ଏଥିମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।













