ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ କୁହାଯିବ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ଏହି ବ୍ୟବସ୍ଥା କରାଯିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଲକ୍ଡାଉନ ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ାଇବାକୁ ବ୍ୟବସ୍ଥା କରାଯାଉଛି। ଏହି ସମୟରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା କରିବେ। ଏପ୍ରିଲ ୧୪ ତାରିଖ ପରେ ଏନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯିବ।
ଏହାସହ ଚଳିତ ବର୍ଷ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି। ଲକ୍ଡାଉନ ଶେଷ ହେବା ପରେ ସେହି ପରୀକ୍ଷା କେବେ ସେନେଇ ନିଷ୍ପତ୍ତି ନିଆଯିବ। ଯଦି ପରୀକ୍ଷା ନହୁଏ ତେବେ କେଉଁ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନିତ କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

କରୋନା ଭାଇରସଠାରୁ ରକ୍ଷା ପାଇବାପାଇଁ ସାମାଜିକ ଦୂରତା ଏକମାତ୍ର ଔଷଧ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ଯାଏଁ ସାରା ଦେଶକୁ ଲକ୍ଡାଉନ ଘୋଷଣା କରାଯାଇଛି। ଫଳରେ ସମସ୍ତ ସ୍କୁଲ କଲେଜ ଓ ଅନ୍ୟାନ ପ୍ରତିଷ୍ଠାନ ବନ୍ଦ ରହିଛି।


















