ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ସ୍କୁଲର ଚଢ଼ା ଫି’ ଆଦାୟ ପ୍ରତିବାଦ କରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ ହୋଇଛି। ଓଡ଼ିଶା ଅବିଭାବକ ଆସୋସିଏସନ ଫୋରମର ସଦସ୍ୟମାନେ ଘଣ୍ଟ, ହୁଳୁହୁଳି ପକାଇ ରବିବାର ମନ୍ତ୍ରୀଙ୍କ ଗଙ୍ଗୋତ୍ରୀନଗରସ୍ଥିତ ବାସଭବନ ଆଗରେ ବିକ୍ଷୋଭ କରିଛନ୍ତି।

ଅଭିଭାକମାନଙ୍କ ଅଭିଯୋଗ ଅନୁସାରେ ଘରୋଇ ସ୍କୁଲମାନଙ୍କରେ ପାଠପଢ଼ା ବାବଦକୁ ଅଧିକ ଫି ଆଦାୟ କରାଯାଉଛି। ଅନଲାଇନରେ କ୍ଲାସ ପାଇଁ ବି ମାତ୍ରାଧିକ ଫି ଡିମାଣ୍ଡ ହେଉଛି। ଯେଉଁମାନେ ଫି ଦେଇପାରୁନାହାନ୍ତି ସେମାନଙ୍କ ପିଲାଙ୍କୁ କ୍ଲାସରୁ ବାହାର କରିଦିଆଯାଉଛି। ତେଣୁ ଗଣଶିକ୍ଷା ମନ୍ତ୍ରୀ ଏହି ବିଷୟରେ ହସ୍ତକ୍ଷେପ କରନ୍ତୁ। ସରକାର ଘରୋଇ ସ୍କୁଲର ଚଢ଼ା ଫି ଆଦାୟ ଉପରେ ଅଙ୍କୁଶ ଲଗାନ୍ତୁ ବୋଲି ଅଭିଭାବକ ସଂଘ ଦାବି କରିଛନ୍ତି।ଘରୋଇ ସ୍କୁଲ ଫିକୁ ନେଇ ଅଦାଲତରେ ଏକ ମାମଲା ବିଚାରଧୀନ ରହିଛି। କିନ୍ତୁ ମନ୍ତ୍ରୀ ବାରମ୍ଵାର ଆଫିଡେଭିଟରେ କହୁଛନ୍ତି ଯେ, ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାରଙ୍କ କୌଣସି ଅଙ୍କୁଶ ନାହିଁ। ରାଜ୍ୟର ସରକାର ୧୯୯୬ ମସିହାରେ ଘରୋଇ ସ୍କୁଲ ବାବଦରେ ରିଜୋଲୁସନରେ ଉଲ୍ଲେଖ କରିଥିଲେ ଯେ, ଯେଉଁ ସ୍କୁଲ ଯେତିକି ସେବା ଦେବ ସେହି ଅନୁସାରେ ଫି ନେବ। କିନ୍ତୁ କରୋନା ପାଇଁ ଦୀର୍ଘ ୯ ମାସ ହେବ ସ୍କୁଲ ବନ୍ଦ ଅଛି। ଅନଲାଇନରେ କ୍ଲାସ ହେଉଛି। ଏହାବାଦ୍‌ ବି ଘରୋଇ ସ୍କୁଲମାନେ ପୁରା ଫି ନେବାପାଇଁ ଅଡ଼ି ବସିଛନ୍ତି।ଅନ୍ୟପଟେ ଅଦାଲତଙ୍କ ନିୟମ ଅନୁସାରେ କୌଣିସ ବି ସ୍କୁଲ ପିଲାଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିପାରିବେ ନାହିଁ। କିନ୍ତୁ ରାଜ୍ୟର କେତେକ ନାମୀ ଘରୋଇ ସ୍କୁଲ ଏହି ନିୟମକୁ ଫୁ କରିଦେଇଛନ୍ତି। ଯେଉଁ ଅଭିଭାବକ ଫି ଦେଇପାରୁନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇଲ କ୍ଲାସରୁ ବଞ୍ଚିତ କରାଯାଉଛି। ତେଣୁ ସରକାର ଏହି ପ୍ରସଙ୍ଗରେ ହାତ ନ ଟେକି କିଛି ନିର୍ଦ୍ଧିଷ୍ଟ ନିୟମ କରନ୍ତୁ ବୋଲି ଅଭିଭାବକ ସଂଘ ଦାବି କରିଛନ୍ତି।ଅଭିଭାବକ ସଂଘର ଦାବି ସମ୍ପର୍କରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘରୋଇ ସ୍କୁଲ ଫି ନେଇ ଅଭିଭାବକମାନେ ଉଚ୍ଚ ନ୍ୟାୟଳୟ ଯାଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପ୍ରମୁଖ ସଚିବ ଉଚ୍ଚ ନ୍ୟାୟଳୟରେ ସତ୍ୟପାଠ ଦେଇଛନ୍ତି। ଏହି ମାମଲା ନ୍ୟାୟଳୟରେ ବିଚାରାଧୀନ ଅଛି। ତେଣୁ ଏବାବଦରେ ଅଧିକ କିଛି କହି ହେବନି।

Comment