ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ମାନି ପରୀକ୍ଷା ହଲରେ ବସିବେ ମାଟ୍ରିକ, +୨ ପରୀକ୍ଷାର୍ଥୀ।

କରୋନା କାରଣରୁ ଡେରିରେ ହେଲେ ବି ଅଫଲାଇନରେ ହିଁ ହେବ ମାଟ୍ରିକ୍ ଓ +୨ ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ଅନଲାଇନ ପାଠପଢ଼ା ପକ୍ରିୟାରେ ସବୁ ପିଲା ଯୋଡ଼ି ହୋଇପାରୁନାହାନ୍ତି। ତେଣୁ ଅନଲାଇନରେ ମାଟ୍ରିକ ଓ ପ୍ଲସ୍ ଟୁ ପରୀକ୍ଷା ହେବାର ପ୍ରଶ୍ନ ହିଁ ଉଠୁନି। ଯେବେ ବି ପରୀକ୍ଷା ହେବେ ସେତେବେଳେ ଅଫଲାଇନରେ ହିଁ ହେବ।”ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍କୁଲ୍ ଖୋଲିବା ନେଇ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏଯାଏଁ କୌଣସି ଉତ୍ତର ଆସିନି। ତଥାପି କେନ୍ଦ୍ର ସରକାରଙ୍କ ନିୟମକୁ ଦେଖିଲେ ଅଫଲାଇନରେ ହିଁ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ପିଲାମାନେ କୋଭିଡ୍ ଗାଇଡ଼ଲାଇନକୁ ମାନି ମାଟ୍ରିକ୍ ଓ +୨ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ କହିଛନ୍ତି।

ଏଥର ଡେରିରେ ହେବ ପରୀକ୍ଷା

କୋଭିଡ୍ କାରଣରୁ ଏଥର ଫେବ୍ରୁଆରି ମାସରେ ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସରେ +୨ ପରୀକ୍ଷା ହୋଇପାରିବ ନାହିଁ। ସ୍କୁଲ୍, କଲେଜ ଖୋଲିବା ପରେ ପାଠପଢ଼ା ହୋଇ ଏହି ଦୁଇ ପରୀକ୍ଷା ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପିଲାମାନେ କୋଭିଡ୍ ଗାଇଡଲାଇନକୁ ମାନି ପରୀକ୍ଷାରେ ବସିବେ ବୋଲି ସେ କହିଛନ୍ତି।ବିଭାଗ ହାତରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି

କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉପରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି ଛାଡ଼ିଦେଇଛନ୍ତି। ଏହି ଦୁଇ ବିଭାଗ ହିଁ ରାଜ୍ୟରେ କେବେ ସ୍କୁଲ୍, କଲେଜ ଖୋଲିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଅନ୍ୟପଟେ ଏହି ଦୁଇ ବିଭାଗ ରାଜ୍ୟରେ କେବେ ସ୍କୁଲ, କଲେଜ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହାନ୍ତି। ଏହାସତ୍ତ୍ୱେ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ପୂର୍ବଭଳି ଚାଲୁ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ସ୍ଥଗିତ

ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା କାଳରେ ପିଲାମାନେ ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମଧ୍ୟ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ବୋର୍ଡକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାଟ୍ରିକ ଫର୍ମ ପୂରଣକୁ ସ୍ଥଗିତ ରଖାଯାଇଛି।online classes problem for studentsସରିନି ସିଲାବସ୍, ଆଗକୁ ପରୀକ୍ଷା

ଅନ୍ୟପଟେ ମାଟ୍ରିକ ପରୀକ୍ଷା କଥା ସାମନାକୁ ଆସିଲେ ସିଲାବସକୁ ନେଇ ମଧ୍ୟ ଚିନ୍ତାରେ ଛାତ୍ରଛାତ୍ରୀ। ଏଯାଏଁ ପିଲାମାନେ ନିଜର ୩୦ ପ୍ରତିଶତ କୋର୍ସ ବି ପୂରଣ କରିନାହାନ୍ତି ବୋଲି କହୁଛନ୍ତି। ଅନ୍ୟପଟେ ଅନଲାଇନ୍ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରୁନି ବୋଲି ମନ୍ତ୍ରୀ ମଧ୍ୟ କହିସାରିଛନ୍ତି। ଏପରି ସ୍ଥିତିରେ କେବେ ସ୍କୁଲ୍ ଖୋଲିବ, କେବେ ପାଠପଢ଼ା ହେବ ଆଉ କେବେ ପରୀକ୍ଷା ହେବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ।

Comment