ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କ୍ୱାରେଣ୍ଟାଇନ୍ ଶଦ୍ଦର ଅର୍ଥ ହେଲା ବ୍ୟକ୍ତି ବା ଗୋଷ୍ଠୀକୁ ନିଃସଙ୍ଗ କିମ୍ବା ପୃଥକ ରଖିବା। ଏହା ମୂଳତଃ ଏକ ଲାଟିନ ଶଦ୍ଦ। ଏହା ୪୦ ଦିନର ଏକ ପିରିୟଡ୍‌କୁ ବୁଝାଏ। ପୂର୍ବକାଳରେ ଯଦି କୌଣସି ଜାହାଜରେ କେହି ରୋଗୀ ଥିବାର ସନ୍ଦେହ କରାଯାଉଥିଲା କିମ୍ବା ଜାହାଜରେ ରୋଗ ଜୀବାଣୁ ଥିବାର ଆଶଙ୍କା କରାଯାଉଥିଲା ତା’ ହେଲେ ଜାହାଜକୁ ବନ୍ଦରଠାରୁ ଦୂରରେ ୪୦ ଦିନ ଧରି ରଖାଯାଉଥିଲା। ବ୍ରିଟେନ୍‌ରେ ପ୍ଲେଗ୍‌କୁ ରୋକିବା ଲାଗି ଏହି ବ୍ୟବସ୍ଥା କରାଯାଉଥିଲା।

ସାଂପ୍ରତିକ ସ୍ଥିତିରେ କୋରୋନାଠାରୁ ବର୍ତ୍ତିବା ଲାଗି ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ୧୪ ଦିନ ଧରି କ୍ୱାରେଣ୍ଟାଇନରେ ରଖାଯାଉଛି। ତାଙ୍କଠାରୁ ଅନ୍ୟ ସୁସ୍ଥ ଲୋକଙ୍କୁ ଯେପରି  କୋରୋନା ଜୀବାଣୁ ସଂକ୍ରମିତ କରି ନପାରିବ ତାହା ସୁନିଶ୍ଚିତ କରିବା କ୍ୱାରେଣ୍ଟାଇନର ମୂଳ ଉଦ୍ଦେଶ୍ୟ। କ୍ୱାରେଣ୍ଟାଇନ ଦୁଇ ପ୍ରକାର ହୋଇଥାଏ। ବ୍ୟକ୍ତିଜଣକ ଯେଉଁ ଅବସ୍ଥାରେ ଥାଆନ୍ତି ସେଠାରେ ତାଙ୍କୁ କ୍ୱାରେଣ୍ଟାଇନ ରଖାଗଲେ ତାକୁ ହୋମ କ୍ୱାରେଣ୍ଟାଇନ ବା ଟେମ୍ପରାରୀ କ୍ୱାରେଣ୍ଟାଇନ୍ ବୋଲି କୁହାଯାଇଥାଏ। ସେହିପରି ଡାକ୍ତରଖାନାରେ ଥିଲେ ତାକୁ ହସ୍ପିଟାଲ କ୍ୱାରେଣ୍ଟାଇନ ବୋଲି କୁହାଯାଏ।corona

ଏହି ସମୟ ମଧ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କର ଚିକିତ୍ସା କରୁଥାନ୍ତି। ତାଙ୍କର ନାକ, ଗଳାରୁ ସ୍ୱାବ ନିଆଯାଇ ପରୀକ୍ଷା ପାଇଁ ପଠାଯାଇଥାଏ। ପରୀକ୍ଷା ରିପୋର୍ଟ ପଜିଟିଭ ଆସିଲେ ତାଙ୍କର ପୂର୍ବରୁ ସ୍ଥିରୀକୃତ ଗାଇଡଲାଇନ୍ ଅନୁସାରେ ଚିକିତ୍ସା କରାଯାଇଥାଏ। ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ ପୂର୍ବରୁ ଜଣେ ହୋମ କ୍ୱାରେଣ୍ଟାଇନରେ ରହିପାରିବେ। ଏହାଦ୍ୱାରା ଘରେ ଥିବା ଗର୍ଭବତୀ ମହିଳା, ବୃଦ୍ଧଲୋକଙ୍କୁ ସଂକ୍ରମଣ ବ୍ୟାପିବାର ଆଶଙ୍କା କମିଯିବ । ସେହିଭଳି ୧୪ ଦିନର ଏହି ପିରିୟଡ୍ ଅତିକ୍ରମ କରିଯିବା ପରେ ଜଣେ ସୁସ୍ଥ ଜୀବନଯାପନ କରିପାରିବେ।

ହୋମ କ୍ୱାରେଣ୍ଟାଇନରେ ରହିବେ କିପରି?

-ହୋମ କ୍ୱାରେଣ୍ଟାଇନରେ ରହିବା ଲାଗି ବାୟୁ ଚଳାଚଳ କରିପାରୁଥିବା କୋଠରୀ ବାଛିବା ଆବଶ୍ୟକ । ସେଥିରେ ଟଏଲେଟ ଥିଲେ ଭଲ।

-ଏହି ସମୟ ମଧ୍ୟରେ ପ୍ରଭାବିତ ବ୍ୟକ୍ତି ଘରୁ ଯଥାସମ୍ଭବ ବାହାରକୁ କମ୍ ବାହାରିବା ସହିତ ନିଜର ପରିଜନଙ୍କୁ ଛୁଇଁବା ଅନୁଚିତ୍।

-ସାବୁନରେ ବାରମ୍ବାର ହାତ ଧୁଅନ୍ତୁ। ଆଲକୋହୋଲ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ।

-ସର୍ଜିକାଲ ମାସ୍କ ପିନ୍ଧନ୍ତୁ। ପ୍ରତି ୬ ଘଣ୍ଟାରେ ଥରେ ମାସ୍କ ବଦଳାନ୍ତୁ। ତାକୁ ଢାଙ୍କୁଣୀ ବନ୍ଦ ଥିବା ଡଷ୍ଟବିନରେ ପକାନ୍ତୁ।

-ଡିସ୍ପୋଜେବଲ ବାସନ ବ୍ୟବହାର ଅତି ସୁରକ୍ଷିତ।

Comment