ଓଡ଼ିଶାଲାଇଭ୍ ଏଣ୍ଚରଟେନ୍‌ମେଣ୍ଟ୍ ବ୍ୟୁରୋ

ରାମାୟଣରେ ପ୍ରଭୁ ଶ୍ରୀରାମ ଓ ସୀତାଙ୍କ ସହ ଲକ୍ଷ୍ମଣଙ୍କ ଭୂମିକା ମଧ୍ୟ ବେଶ ଲୋକପ୍ରିୟତା ଲାଭ କରିଥିଲା। ଏହି ଭୂମିକାରେ ସୁନୀଲ ଲହରୀ ଅଭିନୟ କରିଥିଲେ। ତେବେ ସୁନୀଲ ଲହରୀ କିଭଳି ଏହି ଭୂମିକାରେ ଅଭିନୟ କରିବା ସୁଯୋଗ ପାଇଥିଲେ? ଆସନ୍ତୁ ଜାଣିବା।

୩୩ବର୍ଷ ତଳେ ଦୂରଦର୍ଶନରେ ରାମାୟଣ ସିରିଏଲ ପ୍ରସାରିତ ହୋଇଥିଲା। କେହି କେବେ ଭାବିନଥିଲେ ଟିଭିରେ ପ୍ରଭୁ ଶ୍ରୀରାମ ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାମାନଙ୍କୁ ଅସଲ ଜୀବନରେ ଲୋକେ ପୂଜା କରିବାକୁ ଲାଗିବେ। ରାମାୟଣ ସିରିଏଲ୍‌ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିଲେ ସୁନୀଲ ଲହରୀ। ସୁନୀଲଙ୍କ ଅଭିନୟକୁ ସେତେବେଳେ ଲୋକେ ବେଶ୍ ପସନ୍ଦ କରିଥିଲେ। ତେବେ ରାମାୟଣରେ ଲକ୍ଷ୍ମଣ ଛଡ଼ା ଆଉ କେଉଁ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ ସୁନୀଲ? ଆସନ୍ତୁ ଜାଣିବା…

‘ଶତ୍ରୁଘ୍ନ ଭୂମିକା ପାଇଁ ଚୟନ ହୋଇଥିଲି’

ରାମାୟଣ ସିରିଏଲରେ ଅଭିନୟ କରିବା ପାଇଁ ସୁନୀଲ ଏତେଟା ଆଗ୍ରହୀ ନଥିଲେ। ତେବେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ବାଧ୍ୟ କରିବାକୁ ସେ ରାମାୟଣରେ ଅଭିନୟ ପାଇଁ ଅଡିସନ ଦେଇଥିଲେ। କିନ୍ତୁ ତାଙ୍କୁ ଲକ୍ଷ୍ମଣ ଭୂମିକା ବଦଳରେ ଶତ୍ରୁଘ୍ନ ଭୂମିକା ପାଇଁ ଚୟନ କରାଯାଇଥିଲା। ସୁନୀଲଙ୍କ ସାଙ୍ଗ ଶଶୀ ପୁରୀ ଲକ୍ଷ୍ମଣ ଭୂମିକା ପାଇଁ ଚୟନ କରାଯାଇଥିଲା। ତେବେ କୌଣସି କାରଣରୁ ଶଶୀ ପୁରୀ ରାମାୟଣରେ ଅଭିନୟ କରି ପାରନଥିଲେ।

“ମୋର ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ଥିଲା। କିନ୍ତୁ ସେହି ରୋଲ ପାଇଁ ମୁଁ ମନୋନୀତ ହୋଇପାରିଲି ନାହିଁ। ମୋର ବନ୍ଧୁ ଶଶୀ ପୁରୀ ଲକ୍ଷ୍ମଣ ଭୂମିକା ପାଇଁ ଚୟନ ହୋଇଥିଲେ। ତେବେ କୌଣସି କାରଣରୁ ସେ ଏହି ଭୂମିକାରେ ଅଭିନୟ କରିପାରିନଥିଲେ। ଶେଷରେ ରାମାନନ୍ଦ ସାଗର ମତେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବାକୁ କହିଥିଲେ।” ଏକ ସାକ୍ଷାତକାରରେ ଏହା କହିଛନ୍ତି ସୁନୀଲ ଲହରୀ।

ସେହି ସମୟରେ ରାମାୟଣ ସୁଟିଂ ଆରମ୍ଭ ହୋଇଯାଇଥିଲା। ଶଶୀ ପୁରୀ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବାକୁ ମନା କରିବା ପରେ ରାମାନନ୍ଦ ସାଗର ସୁନୀଲଙ୍କୁ ଦେଖା କରିବାକୁ କହିଥିଲେ। ତେବେ ସୁନୀଲ ରାମାନନ୍ଦ ସାଗରଙ୍କୁ ଦେଖା କରିନଥିଲେ। ସେହି ସମୟରେ ସୁନୀଲଙ୍କ ପାଖରେ କୌଣସି ଫୋନ ନଥିଲା। ଶେଷରେ ରାମାନନ୍ଦ ସାଗର ଜଣେ ବ୍ୟକ୍ତିଙ୍କ ଜରିଆରେ ସୁନୀଲଙ୍କ ସହ ଦେଖା ହୋଇ ତାଙ୍କୁ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବାକୁ କହିଥିଲେ। ଏହାପରେ ସୁନୀଲ କେବେ ପଛକୁ ଫେରି ଦେଖି ନାହାନ୍ତି।

‘କେବଳ ଲକ୍ଷ୍ମଣ ଭୂମିକାକୁ ପସନ୍ଦ କରେ’

କିଛି ଦିନ ତଳେ ସୁନୀଲ ରାମାୟଣ ସୁଟିଂକୁ ନେଇ ଟୁଇଟରରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ରାମାୟଣର ପୂରା ଟିମ୍ ଉପସ୍ଥିତ ଥିଲେ। ଏନେଇ ସୁନିଲ ଟୁଇଟ କରିଥିଲେ ଯେ, ଏହା ହେଉଛି ରାମାୟଣ ସହ ଜଡିତ ସର୍ବୋତ୍ତମ ଚିତ୍ର ପରଦା ସାମ୍ନାରେ ଏବଂ ପରଦା ପଛରେ କାମ କରୁଥିବା ପ୍ରତ୍ୟେକ କଳାକାର ଗୋଟିଏ ମଞ୍ଚରେ ରହିଛନ୍ତି। ମୋ ପାଇଁ ଏହାକ ସ୍ମରଣୀୟ ମୁହୂର୍ତ୍ତ।

ଏକ ଫଟୋକୁ ନେଇ ସୁନୀଲଙ୍କୁ ତାଙ୍କର ଜଣେ ପ୍ରସଂଶକ ଟୁଇଟ କରି ପଚାରିଲେ ଯେ, ୩୩ ବର୍ଷ ତଳେ ରାମାୟଣରେ ଲକ୍ଷ୍ମଣ ଛଡ଼ା ଆପଣ କେଉଁ ଭୂମିକାକୁ ପସନ୍ଦ କରୁଥିଲେ। ଏଥିରେ ସୁନୀଲ ଜବାବ ଦେଇଥିଲେ ଯେ, ମୁଁ କେବଳ ଲକ୍ଷ୍ମଣ ଭୂମିକାକୁ ପସନ୍ଦ କରୁଥିଲି।

ଲକ୍‌ଡାଉନ ଯୋଗୁଁ ରାମାୟଣ ସିରିଏଲ ପୁନଃ ପ୍ରସାରିତ ହେଉଛି। ଏବେବି ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି। ୩୩ ବର୍ଷ ତଳେ ରାମାୟଣର ନିର୍ମାତା ରାମାନନ୍ଦ ସାଗର କେବେ ଆଶା କରିନଥିଲେ ଯେ, ଏହି ସିରିଏଲର ଏତେ ଲୋକପ୍ରିୟତା ହାସଲ କରିବ।

Comment