ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଯୋଗୁଁ ଗଲା ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ। ଆଜି ତାହା ଶେଷ ହେଉଥିବାବେଳେ ମୋଦୀ ଯେଉଁ ୧୯ ଦିନିଆ ବୃଦ୍ଧି କଲେ ତାହା ଅନେକଙ୍କୁ ହରଡ଼ ଘଣାରେ ପକାଇଛି।
ଆଗରୁ ଅବଶ୍ୟ ପ୍ରାୟ ସମସ୍ତେ ଜାଣିଥିଲେ ଯେ, ଲକଡାଉନ ଏପ୍ରିଲ ୩୦ ଯାଏଁ ବଢ଼ିବ କିନ୍ତୁ ମୋଦୀ ତାହାକୁ ଆହୁରି ତିନି ଦିନ ବଢ଼ାଇଦେଇଛନ୍ତି। ଲୋକେ ପଚାରୁଛନ୍ତି କୋଉ ହିସାବରେ ମୋଦୀ ଦ୍ଵିତୀୟ ଲକଡାଉନକୁ ମେ’ ୩ ପର୍ଯ୍ୟନ୍ତ ଟାଣିନେଲେ? ଆଜି ଯେଉଁ ବୃଦ୍ଧି ହେଲା ତାହା ନା ୨୧ ଦିନ, ନା ୧୪ ଦିନ ନା ୭ ଦିନ। ବୃଦ୍ଧି ସମୟ ଏପ୍ରିଲ ୩୦କୁ ନକରି ମେ’ ୩କୁ କାହିଁକି ବଢ଼ାଇଲେ ,ମେ’ ୫କୁ କାହିଁକି ବଢ଼େଇଲେ ନାହିଁ? ଆସନ୍ତୁ ଏହା ପଛରେ ଥିବା ଗଣିତକୁ ଦେଖିବା।
ସରକାରୀ ସୂତ୍ର ଅନୁସାରେ ଲକଡାଉନ ୩ ମେ’ ପର୍ଯ୍ୟନ୍ତ ବଢାଇବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ନଥିଲା ବରଂ ରାଜ୍ୟ ସରକାରମାନେ ହିଁ ଏହି ପ୍ରସ୍ତାବ ଦେଇଥିଲେ। ରାଜ୍ୟମାନେ ହିଁ ପରାମର୍ଶ ଦେଇଥିଲେ ଯେ ୩ ମେ’ ପର୍ଯ୍ୟନ୍ତ ଏହାକୁ ବଢ଼ାଇ ଦିଆଯାଉ। କେନ୍ଦ୍ର ସରକାରଙ୍କର ଏପ୍ରିଲ ୩୦ ଭିତରେ ହିଁ ଲକଡାଉନ ଅବଧିକୁ ସୀମିତ ରଖିବାର ଯୋଜନା ଥିଲା କିନ୍ତୁ ମେ’ ପହିଲା ହେଉଛି ଶ୍ରମିକ ଦିବସ, ଦୁଇ ତାରିଖ ଶନିବାର ଓ ତିନି ମେ’ ହେଉଛି ରବିବାର। ଏଣୁ ରାଜ୍ୟ ସରକାରମାନେ କହିଥିଲେ ୩ ପର୍ଯ୍ୟନ୍ତ ବଢ଼ାଇଲେ ଭଲ ଆଉ ସୁନା ପିଲା ଭଳି ମୋଦୀ ସେୟା ହିଁ କଲେ।
କିଛି ଲୋକଙ୍କ ଯୁକ୍ତି ହେଉଛି ଏହି ତିନି ଦିନ ମଧ୍ୟରେ କଣଟା ଅଧିକ ହୋଇଯିବ ଯାହା ଗତ ୨୧ ଦିନ ଭିତରେ ହୋଇନାହିଁ? ଅଥବା ୧୬ ଦିନ ସ୍ଥାନରେ ୧୯ ଦିନ କଲେ କରୋନା ରୋକିବା କ୍ଷେତ୍ରରେ ଅଧିକ କଣ ଫାଇଦା ମିଳିବ? ବାସ୍ତବ କଥା ହେଉଛି କରୋନା ଲକ୍ଷଣ ପ୍ରକାଶ ପାଇବା ପାଇଁ ୭ରୁ ୧୪ ଦିନ ଲାଗିଥାଏ। ଏଣୁ ଦ୍ଵିତୀୟ ପାଳି ଲକଡାଉନକୁ ଯଦି ୧୬ ଦିନ ସ୍ଥାନରେ ୧୯ ଦିନ କରି ଦିଆଯାଏ ହାତରେ ଆଉ କିଛି ସମୟ ମିଳିବ ଯାହା ଫଳରେ କି କରୋନା ସଂକ୍ରମଣର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ।













