ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ଭିତରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ବାହଘର। ବର କନ୍ୟା ମାସ୍କ ପିନ୍ଧି ହୋଇଛନ୍ତି ବାହା।
ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା କଥାଟା ଅଡ଼ୁଆ ଲାଗୁ ଥାଇପାରେ। କିନ୍ତୁ ଲକ୍ଡାଉନ ମଧ୍ୟରେ ଏଭଳି ଏକ ବିବାହ ଅନୁଷ୍ଠିତ ହୋଇଛି। ଏହି ବିବାହରେ ନିଜେ ବର କନ୍ୟା ମାସ୍କ ପିନ୍ଧିବା ସହିତ ପରିବାର ଯେଉଁ କେତୋଟି ଲୋକ ଉପସ୍ଥିତ ଥିଲେ ସେମାନେ ବି ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହି ନିଆରା ବିବାହ ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଅନୁଷ୍ଠିତ ହୋଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ହୋଶଙ୍ଗାବାଦର ହେମନ୍ତ ଏବଂ ବ୍ରଜେଶ୍ୱରୀଙ୍କ ବିବାହ ଏପ୍ରିଲ ୧୫ରେ ସ୍ଥିର ହୋଇଥିଲା। ଏପ୍ରିଲରେ ୧୪ର ଲକଡାଉନ୍ ଉଠିଯିବ ବୋଲି ଉଭୟଙ୍କ ପରିବାର ଭାବିଥିଲେ। ସେଥିପାଇଁ ବିବାହ ପାଇଁ ସମସ୍ତ ରୀତିନୀତି ଆରମ୍ଭ କରିଦେଇଥିଲେ।
ସେହି ସମୟରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ସମୟ ବୃଦ୍ଧି ନେଇ ଘୋଷଣା କଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା କ୍ରମେ ମେ’ ୩ ଯାଏଁ ଲକ୍ଡାଉନ ବଢ଼ିଗଲା। ଏହାପରେ ଉଭୟ ପରିବାର ପାଇଁ ବିବାହ ରୀତିନୀତିକୁ ଅଧାରୁ ଛାଡିବା କଷ୍ଟସାଧ୍ୟ ଥିଲା। ଫଳରେ କିଛି ଲୋକଙ୍କ ଉପସ୍ଥିତିରେ ଲକଡାଉନ ନିୟମ ପାଳନ କରି ଏପ୍ରିଲ ୧୫ରେ ହିଁ ତାଙ୍କର ବିବାହ ହୋଇଥିଲା।