ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଡ଼ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ହାଡ଼ ଯେତିକି ମଜବୁତ ରହିବ, ଶରୀର ସେତିକି ସୁସ୍ଥ ଓ ଫିଟ୍‌ ରହିବ। ଅସ୍ଵାସ୍ଥ୍ୟକର ଖାଦ୍ୟ, ଭିଟାମିନ୍‌ ଡି, କ୍ୟାଲସିୟମ୍‌ର ଅଭାବ ଓ ମହିଳାଙ୍କର ମେନୋପଜ୍‌ ପରେ ହାଡ଼ ଦୁର୍ବଳ ହୋଇଯାଏ। ବୟସ ସହ ହାଡ଼ ଦୁର୍ବଳ ହେବାକୁ ଆରମ୍ଭ କରେ। ତେବେ ହାଡ଼କୁ କେମିତି ସୁସ୍ଥ ଓ ମଜବୁତ ରଖିବା ଫଳରେ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟାରୁ ରକ୍ଷା ପାଇପାରିବା।

ସୁସ୍ଥ ଓ ମଜବୁତ ହାଡ଼ ସବୁବେଳେ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ହାଡ଼ ତିଆରି ପାଇଁ ପ୍ରୋଟିନ୍‌, ଭିଟାମିନ୍‌, ଓ ମିନେରାଲ୍ସ ଆବଶ୍ୟକ। ହାଡ଼କୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍, ଭିଟାମିନ୍‌ ଡି ଓ ଅନ୍ୟାନ୍ୟ ପୋଷକ ତତ୍ୱ ଅନ୍ତର୍ଭୁକ୍ତ।

କ୍ୟାଲସିୟମ୍‌: ଦୁଗ୍ଧ ଜାତୀୟ ଖାଦ୍ୟ, ବାଦାମ, ବ୍ରୋକୋଲି, ସାଲମନ, ସୋୟାରେ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ଥାଏ। ୨୪୦ ମିଲିଲିଟର କ୍ଷୀରରେ ୩୦୦ଏମ୍‌ଜି କ୍ୟାଲସିୟମ୍‌ ଥାଏ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ହାଡ଼ ଶକ୍ତ ଓ ମଜବୁତ ରହିଥାଏ। ଡାକ୍ତରଙ୍କ ପରାମର୍ଶ କରି କ୍ୟାଲସିୟମ୍‌ ସପ୍ଲିମେଣ୍ଟ ଖାଇବା ଭଲ।

ଭିଟାମିନ୍‌ ଡି: ଅଧିକାଂଶ ଲୋକ ଜାଣିଥିବେ ମଜବୁତ ହାଡ଼ ପାଇଁ ଭିଟାମିନ୍‌ ଡିର ଆବଶ୍ୟକତା ରହିଛି। ଭିଟାମିନ୍‌ ଡିର ଅଭାବ ହାଡ଼କୁ ଦୁର୍ବଳ କରିବା ସହ ହାଡ଼ ଭାଙ୍ଗିଥାଏ। ଖାଦ୍ୟରେ ଚର୍ବିଯୁକ୍ତ ମାଛ ଯେପରିକି ଚୂନା ମାଛ, ସାଲମନ, ଅଣ୍ଡାର ହଳଦିଆ ଅଂଶ, କ୍ଷୀର ସାମିଲ କରିବା ଜରୁରୀ। ପ୍ରତ୍ୟେହ ସକାଳୁ ସୂର୍ଯ୍ୟକରିଣରେ ଚାଲିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍‌ ଡି ସପ୍ଲିମେଣ୍ଟ ଖାଇପାରିବେ।

ମାଗ୍ନେସିୟମ୍‌: ହାଡ଼ର ଘନତା ପାଇଁ ମାଗ୍ନେସିୟମ୍‌ ଭଳି ମିନେରାଲ୍ସ ଦରକାର ହୋଇଥାଏ। ସବୁଜ ପରିବା, ବାଦାମ, ବିନ୍ସ, ଆଲମଣ୍ଡ, ରାଜମା, ଚିନାବାଦାମ ମ୍ୟାଗ୍ନେସିୟମ୍‌ରେ ଭରପୂର। ଏହାକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।

ଭିଟାମିନ୍‌ କେ: ହାଡ଼ର କ୍ଷୟକୁ ରୋକିବାରେ ସାହାଯ୍ୟ କରେ ଭିଟାମିନ୍‌ କେ। ପତ୍ରଯୁକ୍ତ ସବୁଜ ପନିପରିବା, ମଟର, ଡାଲିରେ ଭିଟାମିନ୍‌ କେ’ର ଉତ୍ତମ ଉତ୍ସ।

ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହନ୍ତୁ: ଏକ ସନ୍ତୁଳିତ ଖାଦ୍ୟ ଖାଇବା ଛଡ଼ା କିଛି ବଦଭ୍ୟାସଠାରୁ ଦୂରେଇ ରହିବା ହାଡ଼ ପାଇଁ ବେଶ୍‌ ଭଲ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ମଦ୍ୟପାନ କରିବା ଦ୍ଵାରା ହାଡ଼ର ଘନତା ହ୍ରାସ ପାଏ। ହାଡ଼ର କ୍ୟାଲସିୟମ୍‌ ଶୋଷଣ କରିବାର କ୍ଷମତା କମିଯାଏ। ମଦ ଶରୀରରେ ହରମୋନ୍‌ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ।

ଧୂମପାନ କରୁଥିବା ମହିଳାମାନେ କମ୍‌ ବୟସରେ ମୋନୋପଜ୍‌ ହୋଇଥାଏ, ଯାହା ହାଡ଼ ପାଇଁ ଖରାପ। ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ଅଷ୍ଟିଓପୋରୋସିସ୍‌ର କାରଣ ହୋଇଥାଏ।

Comment