ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଲେଗ୍ରା ହେଉଛି ଏକ ପୃଷ୍ଟିହୀନତା ରୋଗ, ଯାହାକି ଚର୍ମକୁ ବହୁତ କ୍ଷତି କରାଇଥାଏ। ବେଳେ ବେଳେ ଏହି ରୋଗ ଜୀର୍ଣ୍ଣ ପ୍ରକ୍ରିୟା ଓ ସ୍ନାୟୁରେ ମଧ୍ୟ ଆଘାତ ସୃଷ୍ଟି କରାଇଥାଏ। ଯେଉଁ ସ୍ଥାନର ଲୋକମାନେ ପନିପରିବା, ମାଂସ, ମାଛ ପରି ଶରୀର ବର୍ଦ୍ଧକ ବା ଶରୀର ରକ୍ଷାକାରୀ ଖାଦ୍ୟ ନ ଖାଇ ଶୁଷ୍କ ମଣ୍ଡ ଯୁକ୍ତ ଖାଦ୍ୟ ଖାଇଥାଆନ୍ତି। ସେଭଳି ଲୋକମାନଙ୍କର ଏହି ରୋଗଟି ଦେଖାଯାଇଥାଏ। ଆମ ଦେଶର ଉତ୍ତରରେ ଅନେକ ଲୋକ ଶୀତଦିନରେ ମକା ରୁଟି ଖାଇଥାଆନ୍ତି। ସେମାନେ ମକା ଗୁଣ୍ଡ ସହିତ କିଛି ଗହମ ଗୁଣ୍ଡ ମିଶାଇ ରୁଟି କରି ଖାଇବା ଉଚିତ୍।

ଲକ୍ଷଣ

ଏହି ରୋଗରେ ପୀଡ଼ିତ ବୟସ୍କମାନଙ୍କର ଚର୍ମ ଶୁଷ୍କ ଦେଖାଯାଏ ଓ ଫାଟିଯାଏ। ଶରୀର ଯେଉଁ ଅଂଶରେ ସୂର୍ଯ୍ୟକିରଣ ପଡ଼େ ସେଠାର ଚର୍ମ ଶିଝିଗଲା ଭଳି ହୋଇ ଉପରେ ରିବି ରିବିକା ଦେଖାଯାଏ। ବିଶେଷକରି ପୃଷ୍ଟିହୀନତାର ଶିକାର ଶିଶୁମାନଙ୍କର ବେଳେ ବେଳେ ଗୋଡ଼ ଓ ହାତର ଚର୍ମ ଉପରେ କଳା ରଙ୍ଗର ରିବିରିବି ଯାଦୁ ଭଳି ଦାଗ ଦେଖାଦିଏ। ବେଳେ ବେଳେ ଏହା ବକଳାଯୁକ୍ତ ଘା’ ହୋଇଯାଏ ଓ ପାଦ ବି ଏଥିପାଇଁ ଫୁଲିବାର ଆଶଙ୍କା ଦେଖାଦିଏ। ଖାଦ୍ୟସାର ଅଭାବ ଜନିତ ଲକ୍ଷଣ ଯଥା-ପେଟଫୁଲା, ପାଟିର ଦୁଇକଡ଼ରେ ଘା’, ପାଟି ଓ ଜିଭରେ ଲାଲ ରଙ୍ଗର ତୁଣ୍ଡଘା’, ସବୁବେଳେ ଦୁର୍ବଳ ଲାଗିବା, ଭୋକ ନ ହେବା ତଥା ଓଜନ ହାନୀ ମଧ୍ୟ ଦେଖାଦିଏ।

ପୃଥିବୀର ଅଧିକାଂଶ ଲୋକ ଅଳ୍ପଦାମୀ ଖାଦ୍ୟ ଖାଆନ୍ତି। ଏହା ହେଉଛି ଶରୀରର ପ୍ରତ୍ୟେକ ଦିନ ଦରକାର ହେଉଥିବା ଖାଦ୍ୟ ଭାତ ବା ରୁଟି। ଏହାକୁ ଆମେ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରୁ। ମାତ୍ର ଏହା ଆମ ଶରୀରର ସୁସ୍ଥତା ପାଇଁ ଯଥେଷ୍ଟ ନୁହଁ। ଏଥିପାଇଁ ସହଯୋଗୀ ଖାଦ୍ୟ ଦରକାର। ଯଦି ପ୍ରତ୍ୟେକ ଦିନ ଜଣେ ଶିଶୁ କେବଳ ମୁଖ୍ୟ ଖାଦ୍ୟ ଖାଏ ସେ ଯଥେଷ୍ଟ ଦୁର୍ବଳ ଓ ପତଳା ଅନୁଭବ କରେ। ଏହାର କାରଣ ହେଲା ମୁଖ୍ୟ ଖାଦ୍ୟରେ ଅଧିକ ପାଣି ଓ ତନ୍ତୁଥାଏ। ଶିଶୁର ବୃଦ୍ଧି ପାଇଁ ସାହାଯ୍ୟକାରୀ ଶକ୍ତିଦାୟକ ଖାଦ୍ୟ ଖାଇବା ପୂର୍ବରୁ ଏହି ମୁଖ୍ୟ ଖାଦ୍ୟ ଶିଶୁର ପେଟକୁ ଭରି ଦିଏ ଯାହାଫଳରେ କି ଶିଶୁଠାରେ ଉପରୋକ୍ତ ଲକ୍ଷଣ ପ୍ରସ୍ଫୁଟିତ ହୁଏ।

ଚିକିତ୍ସା

ପୁଷ୍ଟିକର ଖାଦ୍ୟ ଏହି ରୋଗର ମୁଖ୍ୟ ଉପାଦାନ। ଜଣେ ଲୋକ ପ୍ରତିଦିନ କିଛି ପରିମାଣର ବିନ୍‌, ଚିନାବାଦାମ, ଚିକେନ, ମାଛ, ମଟନ ଓ ଘିଅ ଆଦି ଖାଇବା ଭଲ। ମକାଗୁଣ୍ଡ ଦେହରେ ଶୁଷ୍କତା ଆଣିଥାଏ। ଏଣୁ ମକାଗୁଣ୍ଡ ଅପେକ୍ଷା ଗହମ ଅଟାର ରୁଟି ଅଧିକ ଉପାଦେୟ। ଯଦି ଗହମ ଅଟା ସୁଲଭ ମୂଲ୍ୟରେ ମିଳୁଥାଏ ମକାରୁଟି ପରିବର୍ତ୍ତେ ଗହମ ବ୍ୟବହାର କରନ୍ତୁ।

ଭୟଙ୍କର ପେଲେଗ୍ରା ତଥା ଅନ୍ୟାନ୍ୟ ଭିଟାମିନ୍ ଅଭାବ ଜନିତ ରୋଗ ପାଇଁ ଭିଟାମିନ୍ ଔଷଧ ସେବନ କଲେ ଭଲ ଉପକାର ମିଳିଥାଏ। ସୁଷମ ଖାଦ୍ୟ ଅଧିକ ଲାଭଦାୟକ ହୋଇଥାଏ। ଭିଟାମିନ୍ ଔଷଧରେ ଭିଟାମିନ୍ ବି’ ବିଶେଷତଃ ନିଆସିନ ଅଧିକ ଥିବା ଦରକାର। ବ୍ରେଭେରେଜ୍ ଇଷ୍ଟରେ ଭିଟାମିନ୍ ’ବି’ ଅଧିକ ପରିମାଣର ରହିଥାଏ।

Comment