ଡକ୍ଟର ମୃଣାଳ ଚାଟାର୍ଜୀ
୫୦ତମ ବିଶ୍ୱ ଧରିତ୍ରୀ ଦିବସ ପାଳନ କରିବାର ସଠିକ ସମୟ।
ବିଶ୍ୱବାସୀ ଏବେ କରୋନା ମହାମାରୀ ସହ ଲଢ଼ୁଛନ୍ତି। ଏମିତି ଏକ ବିପତ୍ତି ସମୟରେ ଆଜି ଅର୍ଥାତ ଏପ୍ରିଲ ୨୨ରେ ବିଶ୍ୱ ପାଳନ କରୁଛି ୫୦ତମ ବିଶ୍ୱ ଧରିତ୍ରୀ ଦିବସ। ଭାରତ ସହିତ ଅନେକ ଦେଶ ଏବେ ଲକଡାଉନ୍ ମଧ୍ୟରେ ରହିଛି। ଲୋକେ ଘର ଭିତରେ ରହି ଏକ ସୁଭବିଷ୍ୟତ ନେଇ ଆଶାବାଦୀ ଅଛନ୍ତି। ଭବିଷ୍ୟତ କାଇଁ ଉଜ୍ଜ୍ଵଳ ଦିଶୁନି। ହେଲେ ମଣିଷ ସମାଜ ଦ୍ୱାରା ପ୍ରଭାବିତ ପୃଥିବୀର ପରିବେଶ, ଇକୋ-ସିଷ୍ଟମ ଓ ଉତ୍ସକୁ ଏବେ ଟିକିଏ ଆଶ୍ୱସ୍ତି ମିଳୁଛି। ସ୍ୱଳ୍ପ ହେଉ ପଛେ କିଛି ମାତ୍ରାରେ ତ ପରିବେଶର ସକାରାତ୍ମକ ପରିବର୍ତ୍ତନ ହେଉଛି। ବହୁ ସ୍ଥାନରେ ବାୟୁ ଏବଂ ଜଳ ପ୍ରଦୂଷଣର ମାତ୍ରା କମିଛି। ସେହିପରି ନଦୀଗୁଡିକର ଇକୋ-ସିଷ୍ଟମ ଧୀରେଧୀରେ ତା’ର ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି।
ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ଭରଣ ପାଇଁ ଲକ୍ଷାଧିକ ବର୍ଷ ଲାଗିଥାଏ। ଶିଳ୍ପ ଏବଂ ମୋଟରଯାନ ପରିବେଶକୁ ସବୁଠୁ ବେଶୀ ପ୍ରଦୂଷିତ କରିଥାଏ। ଏହାସହ ଭାରୀ ଧାତୁ, ନାଇଟ୍ରେଟ ଓ ପ୍ଲାଷ୍ଟିକରୁ ବାହାରୁଥିବା ବିଷାକ୍ତ ପଦାର୍ଥ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ। ବିଶେଷତଃ ସହରାଞ୍ଚଳର କାର୍ଯ୍ୟକଳାପ ଯୋଗୁଁ ଜଳ ପ୍ରଦୂଷଣ ହୋଇଥାଏ। ଆଉ ଶିଳ୍ପ, କଳକାରଖାନା ଏବଂ ଜୀବାସ୍ମ ଦହନ ଦ୍ୱାରା ନିର୍ଗତ ଗ୍ୟାସ ଓ ବିଷାକ୍ତ ପଦାର୍ଥ କାରଣରୁ ବାୟୁ ପ୍ରଦୂଷିତ ହୁଏ ଆଉ ଅମ୍ଳ ବର୍ଷା, ତୈଳ ବୃଷ୍ଟିପାତ ହୋଇଥାଏ। ଶିଳ୍ପଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ମୃତ୍ତିକାର ଗୁଣବତ୍ତାକୁ ନଷ୍ଟ କରିବା ସହ ପ୍ରଦୂଷିତ କରିଥାଏ।
ପ୍ରାକୃତିକ ଉତ୍ସର ଅଭାବ ବର୍ତ୍ତମାନର ପରିବେଶ ସମ୍ପର୍କିତ ଅନ୍ୟତମ ଜଟିଳ ସମସ୍ୟ। ଜୀବାସ୍ମ ଇନ୍ଧନର ବ୍ୟବହାର ପାଇଁ ଗ୍ରୀନହାଉସ ଗ୍ୟାସ ଉତ୍ପନ୍ନ ହେଉଛି। ଏହା ଗ୍ଲୋବାଲ ଓ୍ଵାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ବିଶ୍ୱସ୍ତରରେ ଲୋକେ ଏବେ ସୌର, ପବନ, ବାୟୋ ଗ୍ୟାସ ଓ ଭୂ-ତାପୀୟ ଶକ୍ତି ଉତ୍ସରୁ ଶକ୍ତି ଉତ୍ପାଦନ ପାଇଁ ଚେଷ୍ଟା କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହିସବୁ ନବୀକରଣ ଶକ୍ତିର ଭିତ୍ତିଭୂମି ତଥା ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଶାନୁରୂପ ଭାବେ କମିଛି।
ଆମର ଜଙ୍ଗଲଗୁଡିକ ପ୍ରାକୃତିକ ଭାବେ ଅଙ୍ଗାରକାମ୍ଳ ଗ୍ୟାସ ନେଇ ତାଜା ଅମ୍ଳଜାନ ଉତ୍ପାଦନ କରୁଛି ଏବଂ ତାପମାତ୍ରା ଓ ବର୍ଷା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ତେବେ ଜନସଂଖ୍ୟା ବୃଦ୍ଧି କାରଣରୁ ଅଧିକ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକ ହେଉଥିବାରୁ ପ୍ରତିବର୍ଷ ଗଛର ପରିମାଣ କମିକମି ଯାଉଛି।
ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ବିଲୋପ ହେବା ତଥା ଜୈବ ବିବିଧତା ନଷ୍ଟ ହେବା ପାଇଁ ମଣିଷର କାର୍ଯ୍ୟକଳାପ ଦାୟୀ। ଯେତେବେଳେ କୌଣସି ପ୍ରାଣୀ ଜଗତ ବିଲୁପ୍ତ ହୁଏ, ସେତେବେଳେ ଇକୋ-ସିଷ୍ଟମ ବିପଦରେ ପଡ଼ିଯାଏ। ଆଉ ଏହା ଠିକ ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ। ଇକୋ-ସିଷ୍ଟମର ଅସ୍ତିତ୍ୱ ପାଇଁ ପରାଗଣ ପରି ପ୍ରାକୃତିକ ପ୍ରକ୍ରିୟାର ସନ୍ତୁଳନ ରକ୍ଷା ହେବ ନିହାତି ଜରୁରୀ। ଏହାସହ ମଣିଷର କାର୍ଯ୍ୟକଳାପ ମଧ୍ୟ ଇକୋ-ସିଷ୍ଟମକୁ ବିଗିଦେଇ ଦେଇପାରେ।
ଜଳବାୟୁ ପରିବର୍ତ୍ତନ ମଧ୍ୟ ପରିବେଶ ସମ୍ପର୍କିତ ଆଉ ଏକ ମୁଖ୍ୟ ସମସ୍ୟା। ଗତ କିଛି ଦଶନ୍ଧି ଧରି ଏହା ସାରା ବିଶ୍ୱ ପାଇଁ ଚିନ୍ତାଜନକ ପାଲଟିଛି। ଏହା ଗ୍ଲୋବାଲ ଓ୍ଵାର୍ମିଂର ମୁଖ୍ୟ କାରଣ। ଶିଳ୍ପଗୁଡ଼ିକରୁ ନିର୍ଗତ ବିଷାକ୍ତ ଗ୍ୟାସ ଏବଂ ଜୀବାସ୍ମ ଇନ୍ଧନ ଜାଳିବା କାରଣରୁ ପରିବେଶର ତାପମାତ୍ରା ବୃଦ୍ଧି ହେଉଛି ଓ ଏହାଦ୍ଵାରା ଗ୍ଲୋବାଲ ଓ୍ଵାର୍ମିଂ ମଧ୍ୟ ବଢୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ମେରୁ ଅଞ୍ଚଳରେ ବରଫ ତଳରିବା, ଋତୁଚକ୍ର ପରିବର୍ତ୍ତନ ହେବା, ନୂଆ ରୋଗ ଦେଖାଦେବା, ବନ୍ୟାର ପରିମାଣ ବଢ଼ିବା, ସମ୍ପୂର୍ଣ୍ଣ ପାଣିପାଗ ଚିତ୍ର ବଦଳିଯିବା ଆଦି ହୁଏନି ବରଂ ପରିବେଶ ଉପରେ ଆହୁରି ଅନେକ କ୍ଷତିକାରକ ପ୍ରଭାବ ପଡ଼ିଥାଏ।
ଆମର ପ୍ରାକୃତିକ ଉତ୍ସଗୁଡ଼ିକର ମାତ୍ରାଧିକ ବ୍ୟବହାର ତଥା ପ୍ଲାଷ୍ଟିକର ପ୍ରସ୍ତୁତି ବର୍ଜ୍ୟବସ୍ତୁ ନିଷ୍କାସନର ଏକ ମୁଖ୍ୟ ସମସ୍ୟା। ବିକଶିତ ଦେଶଗୁଡ଼ିକ ବହୁ ମାତ୍ରାରେ ବର୍ଜ୍ୟବସ୍ତୁ ଓ ଆବର୍ଜନା ସୃଷ୍ଟି କରି ତାକୁ ମହାସାଗର ଏବଂ ବିକାଶଶୀଳ ଦେଶଗୁଡିକରେ ଫିଙ୍ଗୁଛନ୍ତି। ପ୍ଲାଷ୍ଟିକ, ଫାଷ୍ଟଫୁଡ଼, ପ୍ୟାକେଜିଂ ଏବଂ ଶସ୍ତା ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ମଣିଷ ସମାଜକୁ ଚେତାବନୀ ଦେଉଛି। ବର୍ଜ୍ୟବସ୍ତୁ ସୁପରିଚାଳନା ବର୍ତ୍ତମାନ ସମୟର ଆଉ ଏକ ଜରୁରୀ ପରିବେଶ ସମ୍ପର୍କିତ ସମସ୍ୟା।
ଏବର ପରିବେଶ ସମସ୍ୟା ବର୍ତ୍ତମାନ ଆଉ ଭବିଷ୍ୟତରେ ବିପର୍ଯ୍ୟୟ ଏବଂ ଦୁଃଖଦ ଘଟଣା ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଆମ ଚାରିପାଖରେ ପରିବେଶ ସମସ୍ୟା ହେତୁ ଆମ ଗ୍ରହ ଏବେ ଜରୁରିକାଳୀନ ସ୍ଥିତି ଭିତରେ ରହିଛି। ଯଦି ଆମେ ଏସବୁ ପରିବେଶ ସମସ୍ୟା ଉପରେ ଗୁରୁତ୍ୱ ଓ ଗମ୍ଭୀରତାର ସହ ଚିନ୍ତା ନକରୁଛୁ, ତେବେ ଭବିଷ୍ୟତରେ ଆମେ ନିହାତି ବଡ଼ ବିପର୍ଯ୍ୟୟର ସାମ୍ନା କରିବା। ବର୍ତ୍ତମାନର ପରିବେଶ ସମସ୍ୟା ଉପରେ ଜରୁରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଏହାକୁ ଆଖି ଆଗରେ ରଖି ତଥା ଆମ ଧରାପୃଷ୍ଠକୁ ସୁରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୧୯୭୦ ଏପ୍ରିଲ ୨୨ରେ ପ୍ରଥମ ବିଶ୍ୱ ଧରିତ୍ରୀ ଦିବସ ପାଳନ ହୋଇଥିଲା। ପରିବେଶ ସଚେତନ ସମାଜର ସପକ୍ଷରେ ଧରିତ୍ରୀ ଦିବସ ଏକ ରାଜନୈତିକ ବିପ୍ଳବରୁ ଆରମ୍ଭ ହୋଇଥିଲା। ହେଲେ ଆଜି ପ୍ରକୃତିକୁ ରକ୍ଷା କରିବା ତଥା ପୃଥିବୀକୁ ସୁରକ୍ଷା କରିବା ସକାଶେ ଲୋକଙ୍କୁ ଏକାଠି କରି ଏ ଦିଗରେ ହାତ ବଢ଼େଇବା ପାଇଁ ଏହା ଏକ ଭଲ ଅବସର।
ଲକଡାଉନ ସମୟରେ ଆମେ ଧରିତ୍ରୀ ଦିବସକୁ କିପରି ପାଳନ କରିବା:
ଯଦି ପାରୁଛନ୍ତି ଗଛଟିଏ ଲଗାନ୍ତୁ; କିମ୍ବା ଗଛରେ ପାଣି ଦିଅନ୍ତୁ। ନିଜ ଘର ଏବଂ ଆଖପାଖର ଅଞ୍ଚଳ ସଫା ରଖନ୍ତୁ। ଖାଦ୍ୟ, ପାଣି ଓ ବିଜୁଳି ପରି ଉତ୍ସ ଯଥାସମ୍ଭବ କମ୍ ବ୍ୟବହାର କରିବାକୁ ସଂକଳ୍ପ ନିଅନ୍ତୁ। ଅଙ୍ଗାରକାମ୍ଳ ଗ୍ୟାସ କମ୍ ନିର୍ଗତ କରିବାକୁ ସଂକଳ୍ପ କରନ୍ତୁ। ବିଭିନ୍ନ ଜିନିଷର ପୁନଃବ୍ୟବହାର ଓ ପୁନଃବିନିଯୋଗ କରନ୍ତୁ।
ପୃଥିବୀକୁ ବଞ୍ଚାନ୍ତୁ ଓ ନିଜେ ବଞ୍ଚନ୍ତୁ।
(ଲେଖକ ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ)