ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ ହେଉଛି ପ୍ରଜନନକ୍ଷମ ମହିଳାଙ୍କଠାରେ ଦେଖାଯାଉଥିବା ଏକ ସ୍ୱାସ୍ଥ୍ୟ ସମସ୍ୟା। ଏହି ସମସ୍ୟା ସାଧାରଣତଃ ୩୦ ବର୍ଷରୁ ଅଧିକ ବୟସ୍କ ମହିଳାମାନଙ୍କଠାରେ ଦେଖାଦେଉଥିବା ବେଳେ ବର୍ତ୍ତମାନ ୨୦ ବା ତା’ଠାରୁ କମ୍‌ ବୟସ୍କ ଝିଅଙ୍କ ମଧ୍ୟରେ ଏହି ରୋଗର ହାର ବୃଦ୍ଧି ପାଇବାରେ ଲାଗିଛି, ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ବିଶେଷଜ୍ଞଙ୍କ ମତରେ ଅସନ୍ତୁଳିତ ହର୍ମୋନ୍‌ ସ୍ତର, ବିଶୃଙ୍ଖଳିତ ଜୀବନଶୈଳୀ ଏଥିପାଇଁ ମୂଖ୍ୟତଃ ଦାୟୀ। କେତେକାଂଶରେ ଜିନ୍‌ଗତ କାରଣରୁ ମଧ୍ୟ ଏହା ହୋଇଥାଏ। ଭାରତରେ ପ୍ରଜନନକ୍ଷମ ପ୍ରତି ୬ ମହିଳାଙ୍କ ମଧ୍ୟରେ ଜଣେ ଏହି ସମସ୍ୟାର ଶିକାର ହେଉଥିବା ବେଳେ ଏହା କାରଣରୁ ମହିଳାମାନେ ମଧୁମେହ, ଉଚ୍ଚରକ୍ତଚାପ, ମେଦବହୁଳତା ପରି ରୋଗରେ ଆକ୍ରାନ୍ତ ହେବା ସମ୍ଭାବାନା ମଧ୍ୟ ବଢ଼ିଯାଏ। ଦିନକୁ ଦିନ ବଢୁଥିବା ମହିଳା ବନ୍ଧ୍ୟାତ୍ୱର ମଧ୍ୟ ଏହା ହେଉଛି ଅନ୍ୟତମ ପ୍ରମୁଖ କାରଣ। ପିସିଓଏସ୍‌ କାରଣରୁ ମହିଳାଙ୍କ ଋତୁଚକ୍ରଜନିତ ସସମ୍ୟା ଦେଖାଯାଇଥାଏ ତଥା ହେରୋସିଟିଜମ୍‌ (ମୁଁହ, ଥୋଡ଼ି ବା ଶରୀରୀର ଅନ୍ୟ ଅଂଶ ଯେଉଁଠାରେ ସାଧାରଣତଃ ପୁରୁଷମାନଙ୍କ କେଶ ବୃଦ୍ଧି ହୋଇଥାଏ, ସେଠାରେ କେଶ ବଢ଼ିବା) ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ହେଲେ, ଅନେକ ସମୟରେ ମହିଳାମାନେ ଏହିସବୁ ଲକ୍ଷଣକୁ ଅଣଦେଖା କରିଦିଅନ୍ତି ଯାହାଫଳରେ ପିସିଓଏସ୍‌ ସମସ୍ୟା ଅଧିକ ବଢିଯାଏ, ଏହାସହିତ ସେମାନଙ୍କ ଶାରିରୀକ ସମସ୍ୟା ମଧ୍ୟ। ଆଜିର ଏହି ଆଲେଖ୍ୟରେ ଚାଲନ୍ତୁ ପିସିଓଏସ୍‌ କଣ, ଏହାର ଲକ୍ଷଣ, ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବା।

ପିସିଓଏସ୍‌ କ’ଣ ?

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌କୁ ସଂକ୍ଷିପ୍ତରେ ପିସିଓଏସ୍‌ ବୋଲି କୁହାଯାଏ। ଏହା ମୁଖ୍ୟତଃ ଶରୀରରେ ହର୍ମୋନ୍‌ ଅସନ୍ତୁଳନ ଯୋଗୁଁ ହୋଇଥାଏ। ସାଧାରଣତଃ, ମହିଳାଙ୍କ ଡିମ୍ବାଶୟରେ ସ୍ତ୍ରୀ ଯୌନ ହର୍‌ମୋନ୍‌ ସହିତ କିଛି ପରିମାମରେ ପୁରୁଷ ଯୌନ ହର୍‌ମୋନ୍‌(ଏଣ୍ଡ୍ରୋଜେନ୍‌) ମଧ୍ୟ ତିଆରି ହୋଇଥାଏ। ଏହି ହର୍‌ମୋନ୍‌ଗୁ  ପ୍ରତ୍ୟେକ ଋତୁଚକ୍ର ଅବଧିରେ ଡିମ୍ବାଣୁର ସ୍ୱାଭାବିକ ବୃଦ୍ଧିକୁ ନିୟନ୍ତ୍ରିତ କରିଥା’ନ୍ତି। ପିସିଓଏସ୍‌ ହୋଇଥିଲେ ଡିମ୍ବାଶୟରେ ସ୍ତ୍ରୀ ଯୌନ ହର୍‌ମୋନ୍‌ ତୁଳନାରେ ଏଣ୍ଡ୍ରୋଜେନ୍‌ ଅଧିକ ପରିମାଣରେ ତିଆରି ହୋଇଥାଏ। ଏହି କାରଣରୁ ରୋଗୀର ଡିମ୍ବୋଦୟ(ଓଭ୍ୟୁଲେସନ୍‌) ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ଡିମ୍ବାଶୟରେ ଥିବା ଫୋଲିକଲ୍‌ରେ ଅଣ୍ଡା ରହିଥାଏ। ସାଧାରଣତଃ ପ୍ରତ୍ୟେକ ଋତୁଚକ୍ରରେ ଗୋଟିଏ ବା ଅଧିକ ଡିମ୍ବାଣୁ ଡିମ୍ବାଶୟରୁ ବାହାରିଥାଏ। ଡିମ୍ବାଶୟରୁ ଡିମ୍ବାଣୁ ନିର୍ଗମନ ପ୍ରକ୍ରିୟାକୁ ଡିମ୍ବୋଦୟ କୁହାଯାଏ। ହେଲେ, ପଲିସିଷ୍ଟିକ୍‌ ସିଣ୍ଡ୍ରୋମ୍‌ରେ ଫଲିକଲ୍‌ରେ ଥିବା ଏହି ଡିମ୍ବାଣୁ ପରିପକ୍ୱ ହୋଇପାରେନି ତଥା ଡିମ୍ବାଶୟରୁ ନିର୍ଗମନ ହୋଇପାରନାହିଁ। ଏହା ପରିବର୍ତ୍ତେ ଏଗୁଡ଼ିକ ଡିମ୍ବାଶୟରେ ଛୋଟ ଛୋଟ ସିଷ୍ଟରେ ରୂପାନ୍ତରିତ ହୋଇଯାଆନ୍ତି ଯାହା ପ୍ରକୃତରେ ତରଳ ପଦାର୍ଥ ଯୁକ୍ତ ଫୋଲିକଲ୍‌ ଅଟେ। ଡିମ୍ବାଶୟରେ ସିଷ୍ଟଗୁଡିକର ସଂଖ୍ୟା କ୍ରମଶଃ ବୃଦ୍ଧି ପାଏ ଓ ଏହି ଅବସ୍ଥାକୁ ପଲିସିଷ୍ଟିକ୍‌ ଓଭାରୀ ବା ଡିମ୍ବାଶୟ ବୋଲି କୁହାଯାଏ।

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ର ଲକ୍ଷଣ

ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ ମୂଖ୍ୟତଃ ହର୍‌ମୋନ୍‌ ଅସନ୍ତୁଳନ, ଖରାପ ଜୀବନଶୈଳୀ କାରଣରୁ ହୋଇଥାଏ। ଏହା ଆନୁବଂଶୀକ ମଧ୍ୟ ହୋଇପାରେ। ଯଦି ଆପଣ ନିମ୍ନରେ ଦିଆ ଯାଇଥିବା ଲକ୍ଷଣଗୁଡିକ ମଧ୍ୟରୁ କୌଣସି ଲକ୍ଷଣ ଦେଖିବାକୁ ପାଉଛନ୍ତି, ତେବେ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍‌। ପିସିଓଏସ୍‌ର ବିଭିନ୍ନ ଲକ୍ଷଣଗୁଡିକ ହେଉଛି-

ଅନିୟମିତ ଋତୁଚକ୍ର, ପିରିୟଡ୍‌ ସମୟରେ ଅତ୍ୟଧିକ ପରିମାଣରେ ଓ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ହେବା। କିଛି ମାସ ପର୍ଯ୍ୟନ୍ତ ଋତୁଚକ୍ର ବନ୍ଦ ହୋଇଯିବା।

ଅତ୍ୟଧିକ ଏଣ୍ଡ୍ରୋଜେନ୍‌ – ମୁହଁ, ଥୋଡ଼ି ସେହି ସ୍ଥାନରେ କେଶ ବଢିବା, ଯାହାକୁ ଡାକ୍ତରୀ ଭାଷାରେ ହିର୍‌ସୁଟିଜିମ୍‌ କୁହାଯାଏ। ମୁହଁରେ ବ୍ରଣ ହେବା ଭଳି ଲକ୍ଷଣ ଦେଖାଦିଏ।

ହଠାତ୍‌ ଓଜନ ବୃଦ୍ଧି ହେବା।

ତ୍ୱଚା ଅଧିକ ତୈଳୀୟ ହେବା ଓ ମୁହଁ, ପିଠିର ଉପର ଭାଗ ଓ ଛାତିରେ ମାତ୍ରାଧିକ ବ୍ରଣ ଉଠିବା।

କେଶ ପତଳା ହେବା ବା ଝଡ଼ିବାକୁ ଆରମ୍ଭ ହେବା; ପୁରୁଷଙ୍କ ପରି ଚନ୍ଦା ହୋଇଯିବା।

ବେକ, ସ୍ତନ ତଳର ଚର୍ମର ରଙ୍ଗ ଗାଢ଼ ହୋଇଯିବା।

ପିସିଓଏସ୍‌ କାରଣରୁ ହେଉଥିବା ଅନ୍ୟ ସମସ୍ୟା

ପିସିଓଏସ୍‌ କାରଣରୁ ଆପଣଙ୍କୁ ନିମ୍ନଲିଖିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

  • ଟାଇପ୍‌-୨ ମଧୁମେହ
  • ଉଚ୍ଚ ରକ୍ତଚାପ
  • କୋଲେଷ୍ଟ୍ରଲ୍‌
  • ହୃଦୟ ରୋଗ
  • ଖରାପ ମେଟାବୋଲିଜମ୍‌ ଯୋଗୁଁ ଓଜନ ବୃଦ୍ଧି ହେବା
  • ସ୍ଲିପ୍‌ ଏପ୍ନିଆ ଅର୍ଥାତ୍‌ ଶୋଇବା ବେଳେ ଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ବାରମ୍ବାର ନିଦ୍ରା ଭଙ୍ଗ ହେବା
  • ଅବସାଦ ଗ୍ରସ୍ତ ହେବା, ମୁଡ୍‌ ସୁଇଙ୍ଗ
  • ବାରମ୍ବାର ମିସ୍‌କ୍ୟାରେଜ୍‌ ହେବା ଓ ବନ୍ଧ୍ୟାତ୍ୱ
  • ଗର୍ଭାବସ୍ଥା ଡାଇବେଟିସ୍‌
  • ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌

ପିସିଓଏସ୍‌ଠାରୁ କେମିତି ରକ୍ଷା ପାଇପାରିବେ       

ପିସିଓଏସ୍‌ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନଥାଏ। ହେଲେ, ଉପରେ ଦିଆଯାଇଥିବା ପିସିଓଏସ୍‌ର ଲକ୍ଷଣ ସବୁ ନଜରକୁ ଆସିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଅନ୍ୟପକ୍ଷରେ ଏହା ଆନୁବଂଶୀକ ହୋଇଥିବାରୁ ଘରେ ଯଦି ଆପଣଙ୍କ ମା, ଭଉଣୀ ବା ମାଉସୀଙ୍କ ମଧ୍ୟରୁ କାହାଠାରେ ମଧ୍ୟ ଏହି ସମସ୍ୟା ରହିଛି ତେବେ ବିଳମ୍ବ ନକରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ସନ୍ତୁଳିତ ଖାଦ୍ୟପେୟ ଗ୍ରହଣ କରି ତଥା ଶାରିରୀକ ପରିଶ୍ରମ କରି ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଦିନଚର୍ଯ୍ୟା ବଦଳାଇବା ସହିତ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ।

Comment