ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାର ୧୦ଟି ଜିଲ୍ଲାରେ ନିଜର କାୟା ବିସ୍ତାର କରି ସାରିବା ପରେ ଏବେ କୋରାପୁଟ ଜିଲ୍ଲାରେ ପ୍ରବେଶ କରିଛି କରୋନା ଭାଇରସ। ସୋମବାର କୋରାପୁଟ ଜିଲ୍ଲା ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି।

ଏହାପୂର୍ବରୁ କୋରାପୁଟ ଜିଲ୍ଲାରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ ଥିଲା। ହେଲେ ଏହି ଆକ୍ରାନ୍ତଙ୍କ ସହ କରୋନା ଭାଇରସ କେବଳ କୋରାପୁଟ ଜିଲ୍ଲା ନୁହେଁ ବଂର ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବେଶ କରିଛି।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଆକ୍ରାନ୍ତ ସୃଷ୍ଟି କରିଥିଲା। ଖୋର୍ଦ୍ଧାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଖୁସିର କଥା ହେଲା ଯେ ତା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୫ ଜଣ ସୁସ୍ଥ ହୋଇସାରିଲେଣି। ଖୋର୍ଦ୍ଧା ଜିଲ୍ଲାପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବେଶ୍ ଅଧିକ ଥିଲା। ଏହି ସବୁ ଜିଲ୍ଲାମାନଙ୍କରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂଖ୍ୟା ଅଧିକ ଥିବା ହେତୁ ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ସେଥିମଧ୍ୟରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ରାଜ୍ୟର ୭୨ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment