ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତି, ବର୍ଣ୍ଣ ଧର୍ମ ଆଧାରରେ ନୁହେଁ ମାନବିକତା ଆଧାରରେ କରୋନା ସହ ଲଢ଼ିବା। କରୋନା ରୋଗୀକୁ ନୁହେଁ ରୋଗକୁ ଦୂରେଇ ରଖିବାର ସଂକଳ୍ପ ନେବା – ପଢ଼ନ୍ତୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ, ଆସାମ ଏବଂ ତ୍ରିପୁରା ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ଲକଡାଉନ ଡାଏରି।

‘‘ଗାନ୍ଧୀବାଦ ପ୍ରତି ପ୍ରଗାଢ଼ ବିଶ୍ୱାସ ରହିଥିଲା। କିନ୍ତୁ ଗାନ୍ଧୀଙ୍କର ଗ୍ରାମ ସ୍ୱରାଜର ଆବଶ୍ୟକତାକୁ ନିଜେ ଏହି ସମୟରେ ଅନୁଭବ କରିପାରିଛି। କି ଧନୀ କି ଗରିବ ସମସ୍ତଙ୍କ ଅହଂଭାବକୁ କରୋନା ଚୂର୍ଣ୍ଣ କରି ଦେଇଛି। ‘one man, one god, one earth’ କରୋନା ଏହା ପ୍ରମାଣିତ କରି ଦେଇଛି।’’, କହିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।

କେମିତି କଟୁଛି ନିତିଦିନିଆ ରୁଟିନ?

ଏକ ଯୌଥ ପରିବାର ଓ ଶିକ୍ଷକ ପରିବାରରେ ମୋର ଜନ୍ମ। ପିଲାଦିନରୁ ପରିବାର ସହ ବହୁତ ସମୟ ବିତାଇବାର ସୁଯୋଗ ପାଇଛି। ଏବେ କନ୍ତୁ ବ୍ୟସ୍ତ ବହୁଳ କାମ ଯୋଗୁଁ ପରିବାରକୁ ସମୟ ଦେଇ ହେଉନଥିଲା।  ହେଲେ କରୋନା ପାଇଁ ଏବେ ପୁଣିଥରେ ସୁଯୋଗ ମିଳିଛି। ମୁଁ ମୋ ଗାଁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୁସପଙ୍ଗୀରେ ଅଛି। ପ୍ରତିଦିନ ସକାଳୁ ଉଠି ଗାଁ ଖେଳପଡ଼ିଆରେ ପ୍ରାତଃଭ୍ରମଣ କରୁଛି ଏବଂ ତା’ପରେ ଯୋଗଭ୍ୟାସ କରୁଛି।

ଯଦି କେବେ ସକାଳେ ଏ ସବୁ ନକରି ହେଉଛି ତାହେଲେ ଅପରାହ୍‌ଣରେ କରୁଛି। ଦିନ ୧୦ଟା ସୁଦ୍ଧା ଜଳଖିଆ ସାରି ଖବରକାଗଜ ପଢ଼ିବାରେ ସମୟ ବିତୁଛି। ଯେହେତୁ ଆସାମ, ତ୍ରିପୁରାର ଯୁବ କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଛି ତେଣୁ ଫୋନ୍‌ ଯୋଗେ ସେଠାକାର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଛି।

ବିଭିନ୍ନ ଜିଲ୍ଲାରେ ସାଙ୍ଗଠନିକ ସଭା ଯଦି ଥାଏ ତେବେ ଭିଡିଓ କନଫରେନ୍ସିଂରେ କରୁଛି। ନିଜ ରାଜ୍ୟର କିଛି ଯୁବ କଂଗ୍ରେସ ବନ୍ଧୁ, ଶୁଭେଚ୍ଛୁ, ରାଜନୈତିକ ଗୁରୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ରିଲିଫ୍‌ କାର୍ଯ୍ୟର ଖବର ବି ବୁଝିବାକୁ ପଡ଼ୁଛି। ଏହିସବୁ ସରିବା ପରେ ବଗିଚାରେ ନିରୋଳାରେ ବସି ପଢ଼ାପଢ଼ି ଓ ଲେଖାଲେଖି କରେ। ଯେହେତୁ ମା’ ଭାଇ ବାହାରେ ରହୁଛନ୍ତି ଶୋଇବା ପୂର୍ବରୁ ସେମାନଙ୍କ ସହ ଫୋନ୍‌ରେ କଥା ହୁଏ। ପରେ କିଛି ସମୟ ପଢ଼ାପଢ଼ି କରି ଶୋଇଯାଏ।

ଏବେ କ’ଣ କରୁଛନ୍ତି ଯାହା ପୂର୍ବରୁ କରିପାରୁନଥିଲେ?

ପ୍ରଥମତଃ ସମୟ ଅଭାବରୁ ଲେଖା ଲେଖି ଅଭ୍ୟାସରୁ ମୁଁ ସାମାନ୍ୟ ଦୂରେଇ ଯାଇଥିଲି। ଯଦିଓ ପଢ଼ାପଢ଼ି ଅଭ୍ୟାସ ଜାରି ରହିଥିଲା। ଏବେ କିନ୍ତୁ ବହୁତ ସମୟ ଲେଖାଲେଖିରେ ଦେଉଛି। ଦ୍ୱିତୀୟତଃ ପିଲାବେଳୁ ନାଟକ ପ୍ରତି ମୋର ସ୍ୱତନ୍ତ୍ର ରୁଚି ରହିଛି। ବାପାଙ୍କ ମୃତ୍ୟୁ ପରେ ଗାଁର ରାମଲୀଳା ନାଟ୍ୟ ସଂସଦର ଗୁରୁ ଦାୟିତ୍ୱ ନିର୍ବାହ କରିବା ସହ ସାମଜିକ ଦୂରତା ରକ୍ଷା କରି କଳାକାରଙ୍କ ସହ ସମୟ ବିତାଉଛି। ଫଳରେ ହାର୍‌ମୋନିୟମ ସହ ତାଳ ଦେବାର ସୁଯୋଗ ବି ମିଳୁଛି। ସବୁ ଭିତରେ ବାପାଙ୍କ ଅନୁପସ୍ଥିତି କଷ୍ଟ ଦେଉଛି।

ଏହାଛଡ଼ା ଲକଡାଉନ୍‌ ଭିତରେ ଘରର କିଛି ନବୀକରଣ କାର୍ଯ୍ୟ ନଜେ କରୁଛି। ଦୀର୍ଘ ଦିନରୁ ଏକ ପୁସ୍ତକ ପ୍ରକାଶନ କରିବାର ଯେଉଁ ଅଭିଳାଷ ଥିଲା। ଏହି ସମୟରେ ତାହା ପୂରଣ କରିବାକୁ ଯୋଜନା ରଖିଛି।

ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ?

ନିଜେ ସୁରକ୍ଷିତ ରହି ସରକାରଙ୍କ ନିୟମ ପାଳନ କରିପାରିଲେ କୋଭିଡ -୧୯କୁ ହରାଇ ଦେଶକୁ ଜିତାଇ ପାରିବା। ଆମେ ସମସ୍ତେ କୌଣସି ମିଥ୍ୟା ଖବରରେ ପ୍ରଭାବିତ ହେବା ନାହିଁ। ଜାତି, ବର୍ଣ୍ଣ ଧର୍ମ ଆଧାରରେ ନୁହେଁ ମାନବିକତା ଆଧାରରେ କରୋନା ସହ ଲଢ଼ିବା। କରୋନା ରୋଗୀକୁ ନୁହେଁ ରୋଗକୁ ଦୂରେଇ ରଖିବାର ସଂକଳ୍ପ ନେବା।

Comment