ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ
  • ନୃତ୍ୟଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଲେ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ
  • ୧୯୮୨ରୁ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ
  • କରୋନା ପାଇଁ ଏଥର ମଞ୍ଚ ନୁହେଁ, ‘ଡିଜିଟାଲ ପ୍ଲାଟଫର୍ମ’
  • ଘରେ ରହି ନୃତ୍ୟ ପରିବେଷଣ କରିବେ ଶିଳ୍ପୀ, ଡିଜିଟାଲ ମିଡିଆରେ ଦେଖିବେ ଦର୍ଶକ

Konark Festival 2019ନୃତ୍ୟ ହେଉଛି ଆମ ସଂସ୍କୃତିର ଏକ ଆକର୍ଷଣୀୟ ଅଙ୍ଗ। ଏହି ନୃତ୍ୟ କଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୯ ତାରିଖରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ଚଳିତବର୍ଷ ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଥିଲେ ମଧ୍ୟ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ ହୋଇଛି। ଡିଜିଟାଲ ପ୍ଲାଟଫର୍ମରେ ବହୁ ବିଶିଷ୍ଟ କଳାକାର ସେମାନଙ୍କ ନୃତ୍ୟ କଳା ପରିବେଷଣ କରି ଦର୍ଶକମାନଙ୍କୁ ଆକର୍ଷିତ କରିଛନ୍ତି।

ଏହି ଅନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମସ୍ତ ନୃତ୍ୟଶିଳ୍ପୀ ଏବଂ ନୃତ୍ୟ କଳା ସହ ଜଡ଼ିତ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘କରୋନା ସଙ୍କଟ ଭିତରେ ଚଳିତବର୍ଷ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ ପାଳନ କରାଯାଉଛି। ଏଥିପାଇଁ ସମସ୍ତ ନୃତ୍ୟଶିଳ୍ପୀ ଏବଂ ପରିବେଷଣ କଳା ସହ ଜଡ଼ିତ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା। ଆମ ଓଡ଼ିଶାରେ ନୃତ୍ୟର ଅନେକ ଧାରା ରହିଛି। ପାରମ୍ପରିକ କଳା, ଲୋକ ନୃତ୍ୟ, ଓଡ଼ିଶୀ ନୃତ୍ୟ ଜାତୀୟ ଓ ଅନ୍ତର୍ଜାତୀ ସ୍ତରରେ ଓଡ଼ିଶାର ଗୌରବ ବଢ଼ାଇଛି। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିପାରିଛି, କହିଛନ୍ତି ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଭାରତୀୟ ସଂସ୍କୃତିରେ ନୃତ୍ୟ କଳା ଶୀର୍ଷ ସ୍ଥାନ ଅଧିକାର କରି ଆସିଛି। ଓଡ଼ିଶାରେ ଥିବା ବିଭିନ୍ନ ନୃତ୍ୟ ପରମ୍ପରା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଭାରତରେ ଯେଉଁ ୮ଟି ଶାସ୍ତ୍ରୀୟ ନୃତ୍ୟ ଧାରା ରହିଛି ସେଥିମଧ୍ୟରୁ ଆମ ଓଡ଼ିଶୀ ନୃତ୍ୟ ହେଉଛି ଅନ୍ୟତମ। ଓଡ଼ିଶୀ ନୃତ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇପାରିଛି।

ଓଡ଼ିଶୀ ଛଡ଼ା ଓଡ଼ିଶାରେ ଅନେକ ଲୋକକଳା ମଧ୍ୟ ରହିଛି। ମୟୂରଭଞ୍ଜର ଛଉ, କେନ୍ଦୁଝରର ରାବଣଛାୟା, ସମ୍ବଲପୁରୀ ଲୋକ ନୃତ୍ୟ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପ୍ରଶଂସା ସାଉଁଟିଛି। ନିକଟରେ ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ଲୋକନୃତ୍ୟକୁ ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଦରବାରରେ ଏହି ଲୋକକଳାର ପ୍ରଚାର ପ୍ରସାର ଅଧିକ ହେବ ବୋଲି ଆଶା ରହିଛି।

ସାରା ବିଶ୍ୱରେ ଯେତେ ପ୍ରକାରର ନୃତ୍ୟ ଧାରା ରହିଛି ତାର ପ୍ରଚାର ପ୍ରସାର କରିବା, ଏହି ସଂସ୍କୃତି ପଛର ଗୁରୁତ୍ୱକୁ ହୃଦୟଙ୍ଗମ କରିବା, ଏହି କଳାକୁ ସକ୍ରିୟ କରି ରଖିବା ପାଇଁ ସରକାର ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପ୍ରୋତ୍ସାହନ ହାସଲ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୟୀ ନୃତ୍ୟ ଦିବସ ପାଳିତ ହୋଇ ଆସୁଛି।

ୟୁନେସ୍କୋ ସହଯୋଗରେ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ ୨୯ରେ ପାଳନ କରାଯାଉଛି। ସାରା ବିଶ୍ୱର ସମସ୍ତ ନୃତ୍ୟ ଶିଳ୍ପୀ, ଏବଂ ପରିବେଷଣ କଳା ସହ ଜଡ଼ିତ କଳାକାରମାନେ ଏହି ଦିବସକୁ ପାଳନ କରିଥାନ୍ତି। ନୃତ୍ୟ କଳା ମାଧ୍ୟମରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।

ଚଳିତବର୍ଷ କରୋନା ସଙ୍କଟ ପାଇଁ ବିଶ୍ୱର ପ୍ରମୁଖ ଦେଶ ଲକ୍‌ଡାଉନ୍‌ ରହିଛି। ଘରେ ରହି ନୃତ୍ୟ ଶିଳ୍ପୀମାନେ ଅନ୍ତର୍ଜାତୀୟ ନୃତ୍ୟ ଦିବସକୁ ପାଳନ କରୁଛନ୍ତି। ଏଥିପାଇଁ ସେମାନେ ଡିଜିଟାଲ ପ୍ଲାଟଫର୍ମର ସହାୟତା ନେଇଛନ୍ତି। ଘରେ ନୃତ୍ୟ ପ୍ରଦର୍ଶନ କରିବା ବେଳର ଭିଡିଓ ରେକର୍ଡ କରି ଡିଜିଟାଲ ଏବଂ ବିଭିନ୍ନ ସୋସିଆଲ ଚ୍ୟାନେଲମାନଙ୍କରେ ପୋଷ୍ଟ କରି ସାରା ବିଶ୍ୱରେ ଥିବା ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଛନ୍ତି।

Konark Festival 2019‘‘ଅନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ଦିଲ୍ଲୀର ଏକ ନୃତ୍ୟ ସଂସ୍ଥା ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟକୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ‘ଡ୍ୟାନ୍ସ ଫ୍ରମ୍‌ ହୋମ୍‌’ କାର୍ଯ୍ୟକ୍ରମ। ଏଥିରେ ମୁଁ ମଧ୍ୟ ନୃତ୍ୟ ପରିବେଷଣ କରିବି। ସମଗ୍ର ବିଶ୍ୱରୁ ୭୫ରୁ ଅଧିକ ନୃତ୍ୟ ଗୁରୁ, କୋରିଓଗ୍ରାଫର, ନୃତ୍ୟ ଶିଳ୍ପୀ ଘରେ ରହି ନୃତ୍ୟ ପରିବେଷଣ କରିବେ’’, କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି।

ସେହିପରି ନୃତ୍ୟ ଅନୁଷ୍ଠାନ ‘ସୃଜନ’ ପକ୍ଷରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ବହୁ ବିଶିଷ୍ଟ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରି ଭିଡିଓ ପଠାଇଛନ୍ତି। ଦର୍ଶକମାନଙ୍କ ପାଖରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବା ପାଇଁ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଆଜି ସନ୍ଧ୍ୟା ୭ଟାରେ ଲାଇଭ୍‌ କରାଯିବ। ଏଥିରେ ୫ ଜଣ ନୃତ୍ୟ ଶିଳ୍ପୀ ସାମିଲ ହୋଇ ନୃତ୍ୟ ପରିବେଷଣ କରିବେ। ଗୁରୁ କେଳୁ ଚରଣ ମହାପାତ୍ର ଏବଂ ବିଦୁଷୀ ଗିରିଜା ଦେବୀଙ୍କର ଏକ ସ୍ମୃତିଭରା ଯୁଗଳବନ୍ଦୀକୁ ଦେଖିବାକୁ ପାଇବେ ଦର୍ଶକ।

Comment