ଓଡ଼ିଶାଲାଇଭ୍ ବ୍ୟୁରୋ
୩ ବର୍ଷ ତଳେ ବିଧବା ହୋଇଯାଇଥିବା ବୋହୂର ପୁନର୍ବିବାହ କରି ଉଦାହରଣ ସୃଷ୍ଟି କଲେ ଶାଶୂ।
୬ ବର୍ଷ ପୂର୍ବରୁ ଯେଉଁ ଝିଅକୁ ବୋହୂ କରି ଆଣିଥିଲେ ଆଜି ସେହି ବୋହୂକୁ ନିଜ ଝିଅ ପରି ବାହାଘର କରିଛନ୍ତି ଶାଶୂ। ବିଧବା ବୋହୂର ପୁନର୍ବିବାହ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ମଧ୍ୟପ୍ରଦେଶ ରତଲମର ସରଳା ଜୈନ। ପୂରା ରୀତୀ ନୀତି ଅନୁସାରେ ସେ ତାଙ୍କ ବୋହୂର ଅନ୍ୟତ୍ର ବିବାହ କରିଛନ୍ତି।
ସରଳା ଜୈନଙ୍କ ପୁଅ ମୋହିତ ୬ ବର୍ଷ ପୂର୍ବରୁ ମଧ୍ୟପ୍ରଦେଶର ଆଷ୍ଟାରେ ସୋନମଙ୍କୁ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ସେ କ୍ୟାନ୍ସରରେ ପୀଡ଼ିତ ହୋଇ ଆଖି ବୁଝିଥିଲେ। କ୍ୟାନ୍ସରେ ପୀଡ଼ିତ ଥିଲା ବେଳେ ସ୍ୱାମୀଙ୍କର ଢେର ସେବା କରିଥିଲେ ସୋନମ। ସ୍ୱାମୀଙ୍କ ମୃତ୍ୟୁ ପରେ ସୋନମଙ୍କୁ ନିଜ ଝିଅ ଭଳି ତାଙ୍କ ଶାଶୂ ସରଳା ଆଦର କରିଥିଲେ।
କିନ୍ତୁ ଏତେ କମ୍ ବୟସରୁ ସୋନମ ବିଧବା ହୋଇଯାଇଥିବାରୁ ସବୁବେଳେ ତାଙ୍କ ଭାଗ୍ୟକୁ ସେ ନିନ୍ଦୁଥିଲେ। ସୋନମଙ୍କ ଦୁଃଖ ଦେଖି ତାଙ୍କ ଶାଶୂ ତାଙ୍କର ପୁନର୍ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବର ଖୋଜା ଆରମ୍ଭ କରିଦେଇଥିଲେ।
ଶେଷରେ ସୋନମଙ୍କ ପାଇଁ ନାଗ୍ଦାରେ ବରପତ୍ର ଠିକ ହେଲା। ବିବାହ ପାଇଁ କଥା ଆଗକୁ ବଢ଼ିଲା। ସବୁ କିଛି ଠିକ୍ ଚାଲିଥିଲା ବେଳେ ଲକ୍ଡାଉନ ବିବାହରେ ସମସ୍ୟା ବଢ଼ାଇଲା। କିନ୍ତୁ ସୋନମଙ୍କ ଶାଶୂ ଏଥିରେ ଅଟକି ଯାଇନଥିଲେ। ପ୍ରଶାସନ ସହ ଆଲୋଚନା କରିବା ପରେ ସୀମିତ ଲୋକଙ୍କ ମଧ୍ୟରେ ସମସ୍ତ ନିୟମ ମାନି ଏହି ବିବାହ ସମ୍ପନ୍ନ କଲେ। ସୋନମଙ୍କ କପାଳରେ ପୁଣି ସିନ୍ଦୂର ଲାଗିଲା।
















