ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସାହିତ୍ୟକୁ ଅନେକ କାଳଜୟୀ ଲେଖା ଦେଇଛନ୍ତି ସନ୍ଥକବି ଭୀମଭୋଇ। ତାଙ୍କର ଏହି ଅବଦାନ ପାଇଁ ସେ ଚିର ସ୍ମରଣୀୟ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ”
– ଓଡ଼ିଆ ସାହିତ୍ୟରେ ସନ୍ଥକବି ଭାବେ ପରିଚିତ ଭୀମଭୋଇଙ୍କର ଏହା ଏକ କାଳଜୟୀ ଲେଖା। ଆଜି ସେହି ଦିବ୍ୟଦ୍ରଷ୍ଟା ଭୀମଭୋଇଙ୍କର ଜନ୍ମବାର୍ଷିକୀ। ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଜନ୍ମ ହୋଇଥିଲେ ଭୀମଭୋଇ। ଏକାଧାରରେ ସେ ଜଣେ କବି, ଯୋଗୀ, ମହିମା ଧର୍ମ ପ୍ରଚାରକ ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।
‘‘ଭୀମଭୋଇଙ୍କ ଲେଖା – ‘ଯେହ୍ନେ ଜଳଧାର ସେହି ପରକାର ଯନ୍ତ୍ରରେ ସୂତ୍ରକୁ ଧରି, ଚିଆଁଇ ଚୈତନ୍ୟ ଜୀବ ପରମକୁ ଭେଟାଭେଟି କର ହରି’, ଅର୍ଥାତ ଜଳଧାର ଯେମିତି ଭାବରେ ଆକାଶରେ ମେଘମାଳ ହୋଇ ପୁଣିଥରେ ଏହି ମାଟିକୁ ଫେରି ଆସେ ଓ ସହସ୍ର ଧାରାରେ ବରଷି ଯାଏ ଠିକ ସେମିତି ମଣିଷ ଯିଏ ସଂସାର ଭିତରକୁ ଆସିଛି ଓ ଯାହା ପାଉଛି ସହସ୍ର ହାତରେ ବାଣ୍ଟି ଦେବା କଥା। ତାହେଲେ ଯାଇ ସଂସାରରେ ଯେଉଁ କୋଟି କୋଟି ଦଳିତ, ନିଷ୍ପେସିତ ଓ ଅସହାୟ ଅଛନ୍ତି ସେହିମାନଙ୍କର କଲ୍ୟାଣ ସାଧନ ହେବ। ଏଥିସହ ସେ ଏହି ଲେଖାରେ ଆତ୍ମା ପରମାତ୍ମା ସହ ସଂପର୍କକୁ ଦର୍ଶାଇଛନ୍ତି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।
‘‘ଓଡ଼ିଆ ସାହିତ୍ୟକୁ ସନ୍ଥ କବି ଭୀମଭୋଇଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କର ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ପାଳନ କରୁଛି। ସନ୍ଥକବି କବି ଭାବେ ସେ ଯେମିତି ସୁଖ୍ୟାତ, ଜଣେ ବିପ୍ଳବୀ ଭାବେ ମଧ୍ୟ ସେ ସେତିକି ସୁପରିଚିତ। ସେ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କ ସାହିତ୍ୟରେ ଦର୍ଶନର ଆଧାରଶିଳା ଥିଲା – ଅନ୍ୟପାଇଁ ନିଜକୁ ସମର୍ପଣ କରିଦେବା’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।
‘‘ଭୀମଭୋଇ ସାଧାରଣ ମଣିଷର କବି ଥିଲେ। ସେ ଲୋକଙ୍କ ଦୁଃଖ ଯନ୍ତ୍ରଣାକୁ ନେଇ କବିତା ଲେଖୁଥିଲେ। ମଣିଷର ସହଜାତ ପ୍ରବୃତ୍ତିକୁ କାବ୍ୟ ଆକାରରେ ଖଞ୍ଜି ଦେଇଥିଲେ। ଯାହାଫଳରେ ତାଙ୍କର ଲେଖା ଲୋକଙ୍କ ହୃଦୟକୁ ଛୁଇଁଥିଲା। ତାଙ୍କର ସ୍ତୁତି ଚିନ୍ତାମଣି ଓଡ଼ିଆ ସାହିତ୍ୟର କୋଠ ସମ୍ପତ୍ତି। ସ୍ତୁତି ଚିନ୍ତାମଣିର ପାଠ୍ୟ, ଭାବ ବିନ୍ୟାସ ଓ ପଦାବଳୀକୁ ଆମେ ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋରଙ୍କ ‘ଗୀତାଞ୍ଜଳି’ ଓ ଜୟଦେବଙ୍କ ‘ଗୀତଗୋବିନ୍ଦ’ ସହ ଏକ ଆସନରେ ସମାସୀନ କରିପାରିବା’’, କହିଛନ୍ତି ବିଶଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ।
ଭୀମଭୋଇଙ୍କର ସମସ୍ତ ଲେଖାରେ ସମାଜ ଓ ସମାଜବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବାକୁ ପ୍ରୟାସ କରାଯାଇଥିଲା। ଦଳିତ, ନିଷ୍ପେସିତଙ୍କ ପାଇଁ ତାଙ୍କର ଗଭୀର ବେଦନାବୋଧ ଓ ସମ୍ବେଦନଶୀଳତା ଓଡ଼ିଆ ସାହିତ୍ୟରେ ବିରଳ। ମାନବ କଲ୍ୟାଣ ପାଇଁ ବିଶ୍ୱର ସମସ୍ତ ଦୁଃଖ ଯନ୍ତ୍ରଣାକୁ ସେ ଆପଣେଇ ନେଇଥିଲେ।
‘‘ସମାଜରେ ଦଳିତ ଓ ନିଷ୍ପେସିତଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ଭୀମଭୋଇ ଅସଂଖ୍ୟ କାବ୍ୟ କବିତା ରଚନା କରିଛନ୍ତି। ତତ୍କାଳୀନ ସମାଜରେ ପ୍ରଚଳିତ ଜାତିପ୍ରଥା, କୁସଂକାର, ଅନ୍ଧବିଶ୍ୱାସକୁ ଉପରେ ସେ ସ୍ୱର ଉଠାଇଥିଲେ। ନାରୀ ସ୍ୱାଧୀନତା ପାଇଁ ବି ଭୀମଭୋଇ ବିପ୍ଳବୀ ସାଜିଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।
ଭୀମଭୋଇଙ୍କର ସର୍ବଶ୍ରେଷ୍ଠ ସାହିତ୍ୟ କୃତି ସ୍ତୁତି ଚିନ୍ତାମଣିରେ ତାଙ୍କ ସତ୍ୟନିଷ୍ଠ ଆତ୍ମଜୀବନୀ, ଆଦର୍ଶ ଜୀବନ ଦର୍ଶନ, ମାନବବାଦର ସ୍ୱର ଦେଖିବାକୁ ମିଳିଥିଲା। ଏହାଛଡ଼ା ତାଙ୍କ ରଚିତ ଚଉତିଶା ମଧୁଚକ୍ର, ଶ୍ରୁତିନିଷେଧ ଗୀତା, ନିର୍ବେଦସାଧନ, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ବ୍ରହ୍ମନିରୂପଣ ଗୀତା, ପଦ୍ମକଳ୍ପ, ବ୍ରହ୍ମଚାଳକ ଆଦି କାବ୍ୟଗ୍ରନ୍ଥ ଓ ଚଉପଦୀ ଭଜନ ଜଣାଣ ଆଦି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।
ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଡାଲଖାଇ, ରସରକେଲି, ଜାଇଫୁଲ, ବଉଲି, ହଳିଆ ଗୀତ ଆଦି ଅସୁମାରୀ ଲୋକଗୀତ ରଚନା କରି ନିଜ ଜନ୍ମ ମାଟିର ଲୋକସଂସ୍କୃତି ଓ ପରମ୍ପରା ପ୍ରତି ସେ ସମ୍ମାନ ଜଣାଇଛନ୍ତି।