ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ତ ମେ’ ମାସ ଚାଲୁଛି। ଜୁନ ମାସକୁ ଅପେକ୍ଷା କରନ୍ତୁ। ଆସନ୍ତା ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ବଢ଼ିବ। ଏହି ଚେତାବନୀ ଦେଇଛନ୍ତି ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଯିଏ କି କରୋନା ନିୟନ୍ତ୍ରଣ ଟାସ୍କଫୋର୍ସର ମୁଖ୍ୟ।
ଏମିତି ବି ଦେଖାଯାଉଛି ମେ’ ମାସରେ କରୋନା ତା ପ୍ରକୋପ ପ୍ରକାଶ କଲାଣି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ ହେବା ଯୋଗୁଁ ସେଠାକାର ସରକାରମାନଙ୍କ ଓ ଲୋକଙ୍କ ଚିନ୍ତା ବଢିଯାଇଛି। ଏପରିକି ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗରୁ କୁହାଯାଉଥିଲା ଯେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲା ପରେ ମେ -ଜୁନରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇବ। ତେବେ ସେଭଳି କିଛି ଆଖିରେ ପଡୁନାହିଁ। ଇତି ମଧ୍ୟରେ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଜୁନ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଶିଖରରେ ପହଞ୍ଚିବ ଓ ତାପରେ ଯାଇ ଏହା ତଳମୁହାଁ ହେବ।
ଡାକ୍ତର ଗୁଲେରିଆ ଏକଥା ବି କହିଛନ୍ତି ଯେ, ଆଗୁଆ ଲକଡାଉନ ଘୋଷଣା କରିବା ଯୋଗୁଁ ହିଁ ଦେଶରେ କରୋନା ମାମଲା ନିୟନ୍ତ୍ରଣ ଭିତରେ ରହିଛି। ନହେଲେ ଏହା ଆମେରିକା ଭଳି ଅବସ୍ଥା ସୃଷ୍ଟି କରିଥାନ୍ତା। ତେବେ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି।
ଡାକ୍ତର ଗୁଲେରିଆଙ୍କ ଏହି ଚେତାବନୀ ପରେ ବର୍ତ୍ତମାନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ୧୭ ତାରିଖ ପରେ ସରକାର କ’ଣ ପୁଣି ଲକଡାଉନ ସମୟ ବଢାଇବେ? ଯଦି ବର୍ତ୍ତମାନ ସ୍ଥିତିରେ ଲକଡାଉନ ଉଠାଇ ନିଆଯାଏ ମାମଲା ଦିନକୁ ଦିନ ବଢ଼ି ଚାଲିବ ଓ ପରିସ୍ଥିତି ସଙ୍ଗୀନ ହେବ। ଏଣୁ ଯାହା ଅନୁମାନ କରାଯାଉଛି ଜୁନ ଶେଷ ପର୍ଯ୍ୟନ୍ତ ଲକଡାଉନ ବଢ଼ିପାରେ।

















