ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଦିନକୁ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ଅସ୍ଥାୟୀ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ନୂଆ ନୂଆ ସମସ୍ୟା ସୃଷ୍ଟି ହେବାକୁ ଲାଗିଲା। ସଙ୍ଗରୋଧ କେନ୍ଦ୍ର ମଧ୍ୟରେ ଓ ବାହାରେ ସଙ୍ଗରୋଧ ବଦଳରେ ସଙ୍ଘବଦ୍ଧ ଘଟଣା ପଦାକୁ ଆସିଲା। ଫଳରେ ସଙ୍ଗରୋଧ କେନ୍ଦ୍ରମାନଙ୍କରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଲା। ଏହାକୁ ଚେକ୍ ଦେବାକୁ ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି।
କେନ୍ଦ୍ରାପଡା ଜିଲ୍ଲାକୁ ବାହାର ରାଜ୍ୟ ମାନଙ୍କରୁ ଆସୁଥିବା ଲୋକମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ୨୧ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ। ହେଲେ ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରହୁଥିବା ଅନ୍ତେବାସୀମାନେ ଅନେକ ସ୍ଥାନରେ ସଙ୍ଗରୋଧର ନିୟମ କାନୁନ୍ ମାନୁ ନାହାନ୍ତି। କିଏ ଘର ଲୋକମାନଙ୍କ ସହ ଲୁଚିଛପି ସମ୍ପର୍କ ସ୍ଥାପନ କରୁଛନ୍ତି ତ କିଏ ଘରୁ ଖାଇବା ମଗାଇ ଖାଉଛନ୍ତି। ଆଉ କେତେକ ସ୍ଥାନରେ ଅନ୍ତେବାସୀମାନେ ନିଜ ପାଖରେ ଥିବା ଟଙ୍କା ପଠାଇ ବାହାର ଦୋକାନରୁ ପାନ ସିଗାରେଟ ଓ ବିଡି ବ୍ୟବହାର କରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ମଧ୍ୟରେ ମେଳି ହୋଇ ବସିବା ଉଠିବା , ମୋବାଇଲରେ ଫିଲ୍ମ ଦେଖିବା ଆଦି କରିବାରେ ଲାଗିଛନ୍ତି। ଫଳରେ ସଂକ୍ରମଣ କମିବା ବଦଳରେ ବଢିବାର ଆଶଙ୍କା ସୃଷ୍ଟି ହୋଇଛି।
ଏତେ ସଚେତନ ପରେ ମଧ୍ୟ ଅମାନିଆମାନଙ୍କୁ ସାବାଡ କରିବା କାଠିକର ପାଠ ହୋଇପଡିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଏଡାଇବା ପାଇଁ, ସଙ୍ଗରୋଧ କେନ୍ଦ୍ରମାନକୁ କଟକଣାରେ ରଖିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଆଜି ଜିଲ୍ଲାର ସମସ୍ତ ଅସ୍ଥାୟୀ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ୧୪୪ ଧାରା ଜାରି ହୋଇଥିବା ସୂଚନା ଦେଇଛନ୍ତି।
















