ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ଜାରି ରହିଛି। ସମଗ୍ର ରାଜ୍ୟ କଠିନ ପରିସ୍ଥିତି ଦେଇ ଗତି କରୁଛି । ପୂର୍ବବର୍ଷ କୋଭିଡ୍‌ର ପ୍ରଥମ ଲହର ସଂକ୍ରମଣକୁ ରୋକିବାରେ ରାଜ୍ୟ ସଫଳ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଆମେ ସଫଳ ହେବା। ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍ ବଳବତ୍ତର ରହିଛି। ରୋଗୀମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଛି। ଏହି କ୍ରମରେ ପୁରୀ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲାଯାଇଛି। ଏହାଦ୍ୱାରା ଏହି ଅଞ୍ଚଳର ଲୋକମାନେ ଚିକିତ୍ସା ପାଇଁ ଆଉ ଭୁବନେଶ୍ୱର କିମ୍ବା କଟକ ଡାକ୍ତରଖାନା ଉପରେ ନିର୍ଭର କରିବେ ନାହିଁ”, ଉଦ୍‌ଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ଖୋଲିଥିବା କୋଭିଡ୍ ହସ୍ପିଟାଲକୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏଥିସହ ସମ୍ ହସ୍ପିଟାଲକୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପୁରୀ ଜିଲ୍ଲାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିରେ ୯୦ଟି ଅକ୍ସିଜେନ୍ ବେଡ୍, ୪୦ଟି ଏଚ୍‌ଡିୟୁ ଶଯ୍ୟା ଏବଂ ୨୦ ଟି ଆଇସିୟୁ ବେଡ୍ ରହିଛି। ଉଚ୍ଚମାନର ଲାବରେଟୋରୀ ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ରହିଛି।ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ। ବର୍ତ୍ତମାନ ସମସ୍ତ ଶଯ୍ୟାରେ ଅମ୍ଲଜାନ ସୁବିଧା କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି ଅମ୍ଲଜାନ ଶଯ୍ୟାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଅନ୍ୟପକ୍ଷରେ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Comment