ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଘାତକ କିନ୍ତୁ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ବର୍ଷର ଯୁବକ ପ୍ରତୀକ୍ଷ କାଦାମ୍ବାଲୁ। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଦୀର୍ଘ ଏକ ମାସ ଧରି କରୋନା ମହାମାରୀ ସହ ଲଢେଇ କରି ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ।

ରାୟଗଡ଼ା ସ୍ଥିତ ମୁନିଗୁଡା ଅଞ୍ଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହେଉଛନ୍ତି ପ୍ରତୀକ୍ଷ। ସେ କରୋନା ସଂକ୍ରମିତ ହୋଇ ଏପ୍ରିଲ୍‌ ୩୦ତାରିଖରେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏଥିସହ ତାଙ୍କ ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା।ଭେଣ୍ଟିଲେଟରରେ ଥିବା ସମୟରେ କୋଭିଡ୍‌ ହସ୍ପିଟାଲ ପକ୍ଷରୁ ତାଙ୍କ ପରିବାର ସହ ନିୟମିତ ଯୋଗାଯୋଗ କରାଯାଉଥିଲା। ଏମିତି କି ଭିଡିଓ କଲ ମାଧ୍ୟମରେ ପ୍ରତୀକ୍ଷଙ୍କୁ ଦେଖିପାରୁଥିଲେ ତାଙ୍କ ପରିବାର ସଦସ୍ୟ। ଶେଷରେ ଦୀର୍ଘ ଧରି ମୃତ୍ୟୁ ସହ ସଂଗ୍ରାମ କରିବାପରେ ପ୍ରତୀକ୍ଷ କରୋନାରୁ ସୁସ୍ଥ ହୋଇ ନିଜ ଘର ମୁନିଗୁଡ଼ାକୁ ଫେରିଛନ୍ତି।

ଅନ୍ୟପକ୍ଷରେ ସମ୍‌ କୋଭିଡ୍‌ ହସ୍ପିଟାଲରେ ପୁଅର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାରବର୍ଗ। ସେମାନଙ୍କର ସେବା, ଚିକିତ୍ସା ଓ ସହଯୋଗ ପାଇଁ ପ୍ରତୀକ୍ଷ ନୂଆ ଜୀବନ ଫେରିପାଇଥିବା କହିଛନ୍ତି ତାଙ୍କ ସମ୍ପର୍କୀୟ।

Comment