ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀରେ ଅନାଥ ହୋଇଥିବା ଛୋଟ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛନ୍ତି ମୋଦୀ ସରକାର। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିକଟରେ ଏହି ସୂଚନା ଦେଇଥିଲେ। ଯୋଜନା ଅନୁଯାୟୀ ୧୮ବର୍ଷ ପର୍ଯ୍ୟନ୍ତ ପିତାମାତା ହରାଇଥିବା ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ। ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ। ଏଥିସହ ଏହି ପିଲାଙ୍କୁ ମାସିକ ଷ୍ଟାଇପେଣ୍ଡ ବି ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ।

କରୋନାରୁ ଅନାଥ ହୋଇଥିବା ଛୋଟ ପିଲାଙ୍କୁ ଦୁଃସ୍ଥିତିରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ମାସ ୨୩ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସେ ଯେଉଁ  ଯୋଜନା ଆରମ୍ଭ କରିଥିଲେ ତାହାକୁ ଏବେ ପୂର୍ଣ୍ଣ ରୂପ ଦିଆଯାଇଛି। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା କରୋନା ଯୋଗୁଁ ଯେଉଁ ଛୋଟ ଛୁଆ ବାପା, ମା’ଙ୍କୁ ହରାଇଥିବେ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁବିଧା ଯୋଗାଇ ଦେବେ।ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ମଧ୍ୟ ନବୀନ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନୁସାରେ ଅନାଥ ପିଲାଙ୍କୁ ମାସିକ ଭତ୍ତା ଦିଆଯିବ। ଯେଉଁ ପିଲା ଉଭୟ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ୧୮ବର୍ଷ ହେବା ଯାଏଁ ମାସିକ ଅଢ଼େଇ ହଜାର ଟଙ୍କା ମଧ୍ୟ ମିଳିବ। ଯେଉଁମାନେ ବାପା ଏବଂ ମା’ଙ୍କ ମଧ୍ୟରୁ କେବଳ ଜଣଙ୍କୁ ହରାଇଛନ୍ତି ସେମାନେ ମାସିକ ଦେଢ଼ ହଜାର ଟଙ୍କା ପାଇବେ।ଭତ୍ତା ପିଲାଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ, ଏହି ଯୋଜନାରୁ କେହିବି ଅନାଥ ପିଲା ବାଦ ପଡ଼ିବେ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ସ୍ୱାଗତଯୋଗ୍ୟ। କିନ୍ତୁ ଅନାଥ ପିଲାଙ୍କ ସାହାଯ୍ୟ ଯୋଜନା  ଅମଲାତନ୍ତ୍ରର ଚକ୍ରରେ ନପଡ଼ିଲେ ହେଲା।

Comment