ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମାଡ଼ ଭାରତର ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ, ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ୟାକେଜ ଘୋଷଣା କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି।

ଚାଷୀଙ୍କ ଉପରେ ଫୋକସ୍‌

କରୋନା ପାଇଁ ଲକ୍‌ଡାଉନ୍‌ ଲାଗୁ ହେବାରୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିଲେ। କେହି ଘରୁ ବାହାରି ପାରିନଥିଲେ। ଚାଷୀମାନେ ବି ଘରୁ ବାହାରି ନଥିଲେ। ଫଳରେ ଫସଲ ଅମଳ ଠିକ୍‌ରେ ହୋଇ ନଥିଲା। ଲକ୍‌ଡାଉନ୍‌ ପାଇଁ ଚାଷୀ ଫସଲ ବିକ୍ରିବଟା ଠିକ୍‌ରେ କରିପାରି ନଥିଲା। ଚାଷୀ ବ୍ୟାପକ କ୍ଷତି ସହିଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ଚାଷୀଙ୍କୁ ଗୁରୁତ୍ୱ ଦେଇଛନ୍ତି।

‘‘୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ରିଲିଫ୍‌ ଦିଆଯାଇଛି। ୬୩ ଲକ୍ଷ ଚାଷୀଙ୍କୁ ମୋଟ ୮୬ ହଜାର ୬୦୦ କୋଟି ଟଙ୍କାର ୠଣ ମିଳିଛି। ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ନାବାର୍ଡକୁ ତୁରନ୍ତ ୩୦ ହଜାର କୋଟି ଦିଆଯାଇଛି। ଗତ ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍‌ କାର୍ଡ ଦିଆଯାଇଛି। ଏହି କ୍ରେଡିଟ୍‌ କାର୍ଡ ଜରିଆରେ ୨୫ ହଜାର କୋଟି ଟଙ୍କାର ୠଣ ଦିଆଯାଇଛି। ମେ’ ୩୧ ଯାଏଁ ଚାଷୀଙ୍କୁ ୠଣ ପରିଶୋଧ ପାଇଁ ଚାଷୀଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର।

ସହରାଞ୍ଚଳ ଗରିବ

ସହରାଞ୍ଚଳ ଗରିବ ଓ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାର ୧୧ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ମଧ୍ୟବିତ୍ତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ୍‌ ଲିଙ୍କ୍‌ ସବ୍‌ସିଡ୍‌ ଅବଧି ବୃଦ୍ଧି କରାଯାଇଛି। ୧୫ ହଜାର ଟଙ୍କାରୁ କମ୍‌ ୠଣ ନେଇଥିବା ଲୋକଙ୍କୁ ୨ ପ୍ରତିଶତ ୠଣ ଛାଡ କରାଯିବ। ମୁଦ୍ର ଶିଶୁ ଯୋଜନାରେ ଏହି ସୁବିଧା ମିଳିବ। ଉଠା ଦୋକାନୀଙ୍କୁ ଆର୍ଥିକ ସୁବିଧା ଦେବା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ୠଣ ମିଳିବ। ୫୦ ଲକ୍ଷ ଉଠା ଦୋକାନୀ ଲାଭବାନ ହେବେ। ଆଦିବାସୀ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇଦେବା, ଜଙ୍ଗଲ ସୁରକ୍ଷା ଓ ବନ୍ୟଯନ୍ତୁ ସୁରକ୍ଷା ପାଇଁ ୬ ହଜାର କୋଟିର ବ୍ୟୟବରାଦ ହୋଇଛି।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ଫୋକସ୍‌

ସାରା ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି। ଏମାନେ ୩ କୋଟି ସାନିଟାଇଜର, ମାସ୍କ ତିଆରି କରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହା ତିଆରି ହୋଇଛି। ୭୨୦୦ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇଛି। ସେମାନଙ୍କୁ ରିୱଲିଂ ପାଣ୍ଠିରୁ ସହଯୋଗ କରାଯାଉଛି।

ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

କରୋନା ସଙ୍କଟ ବେଳେ ବାହାର ରାଜ୍ୟରୁ ଯେଉଁ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରି ଆସିଛନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁ ଶ୍ରମିକମାନେ କାମ କରିବାକୁ ଚାହିଁବେ ସେମାନଙ୍କୁ ନିଜ ପଞ୍ଚାୟତରେ କାମ ମିଳିବ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏହି କାମ ମିଳିବ। ଶ୍ରମିକମାନେ ନିଜ ପଞ୍ଚାୟତ ଅଫିସରେ ପଞ୍ଜୀକରଣ କରି କାମ କରିପାରିବେ।

ପୂର୍ବରୁ ଏହି ମନରେଗା ଯୋଜନାରେ କାମ କଲେ ଶ୍ରମିକଙ୍କୁ ୧୮୨ ଟଙ୍କା ମଜୁରୀ ମିଳୁଥିଲା। ଏବେ ଏହାକୁ ବଢ଼ାଇ ୨୦୨ ଟଙ୍କା କରାଯାଇଛି। ସେହିପରି ପ୍ରବାସୀ ଶ୍ରମିକମାନଙ୍କୁ ଆଉ ୨ ମାସ ଯାଏଁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସହରାଞ୍ଚଳ ଗରିବମାନଙ୍କୁ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର। ଯେଉଁମାନେ ନିରାଶ୍ରୟ ସେମାନଙ୍କୁ ଏଠାରେ ଆଶ୍ରୟ ଦିଆଯାଉଛି। ଦିନକୁ ତିନି ଥର ଖାଇବାକୁ ଦିଆଯାଉଛି।

୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମଗାଣାରେ ରାସନ ସାମଗ୍ରୀ ମିଳିବ। ଏଥିପାଇଁ ୩୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଲେଖାଏଁ ଗହମ କିମ୍ବା ଚାଉଳ ଏବଂ ୧ କିଲୋଗ୍ରାମ ଡାଲି ଦିଆଯିବ। ଏହକୁ ରାଜ୍ୟ ସରକାରମାନେ ଲାଗୁ କରିବେ।

ସାରା ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ। ଏହି କାର୍ଡ ପ୍ରଚଳନ ହେଲେ ପ୍ରବାସୀମାନେ ଯେକୌଣସି ରାଜ୍ୟର ରାସନ ଡିପୋକୁ ଯାଇ ରାସନ ପାଇପାରିବେ। ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ ପ୍ରଚଳନ ହେଲେ ପ୍ରବାସୀ ଶ୍ରମିକମାନେ ଉପକୃତ ହେବେ।

Comment