ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇ ପାରିବ ସେନେଇ ରିପୋର୍ଟ ପ୍ରସ୍ତୁତ କରିବ ରାଜ୍ୟ ଯୋଜନା ବୋର୍ଡ। ଗୁରୁବାର ଏନେଇ ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

କରୋନା ମହାମାରୀ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି। ଚାରୋଟି କ୍ଷେତ୍ରରେ ତର୍ଜମା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ, ଏହାପରେ ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଛି।

ବୈଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ ଓ ଅନ୍ୟ ଅଧିକାରୀଙ୍କୁ ନେଇ କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଜନସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋଚନା କରାଯିବ। ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନୋଡାଲ ଏଜେନ୍ସି ଭାବେ ଏହି ଦାୟିତ୍ୱ ବହନ କରିବ। ସମସ୍ତ ପ୍ରକାର ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟକୁ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ବସିଥିବା ଏହି ବୈଠକରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସହିତ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର, ଯୋଜନା ଓ ସଂଯୋଜନା ବିଭାଗର ଅନୁଶାସନ ସଚିବ ଅଭୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Comment