ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଦେଶ
  • ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୩ ପ୍ରତିଶତ ହ୍ରାସ
  • ବୃଦ୍ଧି ପାଇଛି ତେଲ ଆମଦାନୀ ଖର୍ଚ୍ଚ

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି, “ଦେଶ ଏକ ବିଶାଳକାୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।“ ତେଲ ଆମଦାନୀ କାରଣରୁ ଦିନକୁ ଦିନ ଏହି ସଂକଟ ଘନେଇବାରେ ଲାଗିଛି। ତେଣେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିରନ୍ତର ହ୍ରାସ ପାଉଥିବାରୁ ଏହା ସଂକଟକୁ ଅଧିକ ଘନୀଭୂତ କରିଛି।

ଆହୁରି ମଧ୍ୟ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅସହନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀମାନଙ୍କ ବୈଠକ ପୂର୍ବରୁ ଗଡ଼କରି ଦୁଇଟି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ତୈଳ ଆମଦାନୀକାରୀ ଦେଶ। ମୋଟ ତେଲ ଚାହିଦାର ୮୦ ଭାଗ ବିଦେଶରୁ ଆମଦାନୀ କରାଯାଇଥାଏ। ଏବର୍ଷ ଆରମ୍ଭ ଠାରୁ ଏ ଯାଏଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇଛି ଓ ଏହା ଫଳରେ ବିଶ୍ୱ ବଜାରରେ ଟଙ୍କା ଦୁର୍ବଳ ହୋଇଚାଲିଛି। ଏହି କାରଣରୁ ତେଲ ଆମଦାନୀ ଖର୍ଚ୍ଚ ମଧ୍ୟ ବୃଦ୍ଧିପାଉଛି।

ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ କେବଳ ଯେ ଏହା ଆର୍ଥିକ ଅବସ୍ଥାକୁ ବିଗାଡ଼ୁଛି ତାହା ନୁହେଁ, ରାଜନୀତି ସ୍ତରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ଦାମ ବିଗତ ୪ ବର୍ଷ ଭିତରେ ସର୍ବାଧିକ ହୋଇଛି। ଏଇକ୍ଷଣି ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫ ଡଲାର ରହିଛି।

ଟଙ୍କାର ଅବମୂଲ୍ୟାୟନ, ତେଲ ଆମଦାନୀ ଯୋଗୁଁ ଅଧିକ ଖର୍ଚ୍ଚ ଓ ନିକଟରେ ଆଇଏଫ ଓ ଏସେଲ ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାର ଦେବାଳିଆ ଅବସ୍ଥା ଏ ସବୁ ମିଶି ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇବା ଆରମ୍ଭ କରିଛି। ସେୟାର ବଜାରରେ ମଧ୍ୟ ଗତ ଦୁଇ ଦିନ ଧରି ସେନସେକ୍ସ ଲଗାତାର ଖସିବା ଫଳରେ ଷ୍ଟକ ମାର୍କେଟରେ ହାହାକାର ଖେଳିଯାଇଛି।

ଗୁରୁବାର ଦିନ ବମ୍ବେ ଷ୍ଟକ ଏକସଚେଞ୍ଜରେ ଗୋଟିଏ ସମୟରେ ସେନସେକ୍ସ ୮୦୦ ପଏଣ୍ଟ ଖସି ଯାଇଥିଲା। ସେହିଭଳି ଟଙ୍କାର ମୂଲ୍ୟ ଆହୁରି ୪୩ ପଇସା ଖସି ଡ଼ଲାର ତୁଳନାରେ ଭାରତୀୟ ଟଙ୍କା ୭୩.୭୭ ପଇସା ହୋଇଛି।

Comment