ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ରାଜନୀତିରେ ଏବେ ଉତ୍‌ଥାନ ପତନ ଜାରି ରହିଛି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚୌକି ମଧ୍ୟ ସଙ୍କଟରେ ରହିଛି।

ଦିନକୁ ଦିନ ପାକିସ୍ତାନ ପ୍ରଧାମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସଙ୍କଟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଗାଦି। ଜନହିତକର ପ୍ରସଂଗ ସହ ବିରୋଧୀଙ୍କ ବିରୋଧର ସ୍ଵର ଯୋଗୁଁ ଏହି ପରିସ୍ଥିତି ମୁଣ୍ଡ ଟେକିଛି। ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ଏହା ପରଠାରୁ ଏବେ ପରିସ୍ଥିତି ବିଗିଡ଼ିବାକୁ ଲାଗିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଛନ୍ତି ସାଧାରଣ ଜନତା ଏବଂ ବିରୋଧୀ।

ତେବେ କାହିଁକି ଏହି ପରିସ୍ଥିତି ଉପୁଜିଛି? ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ବିରୋଧରେ କେଉଁ ସବୁ ପ୍ରସଂଗକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ସେ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।

କ’ଣ ରହିଛି ପାକିସ୍ତାନର ରାଜନୈତିକ ସ୍ଥିତି?

ପାକିସ୍ତାନର ରାଜନୈତିକ ସ୍ଥିତି ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଲାଗିଛି। ନିକଟରେ ଇମ୍ରାନ ଖାନଙ୍କ ଦଳର ପ୍ରାୟ ୧୪ ଜଣ ସାଂସଦ ଦଳ ଛାଡ଼ିଛନ୍ତି। ଦଳ ଛାଡ଼ିଥିବା ସାଂସଦମାନଙ୍କୁ କାରଣ ଦର୍ଶଅ ନୋଟିସ ମଧ୍ୟ ଜାରି କରାଯାଇଛି।

୨୦୧୮ ଅଗଷ୍ଟ ୧୮ ତାରିଖରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପୂର୍ବରୁ ସେ କ୍ରିକେଟ ଷ୍ଟାର ଭାବେ ବେଶ ପରିଚିତ ଥିଲେ। କ୍ରିକେଟରୁ ରାଜନୀତି କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିଥିବା ଇମ୍ରାନ ଖାନ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥିଲେ ମଧ୍ୟ ବର୍ତ୍ତମାନର ସମସ୍ୟା ସବୁଠାରୁ ବଳିପଡ଼ିଛି।

ଦରଦାମ ବୃଦ୍ଧିକୁ ନେଇ ବିରୋଧ

ବର୍ତ୍ତମାନ ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ନୟାନ୍ତ ହେଉଛନ୍ତି ସାଧାରଣ ଜନତା। ଦେଶରେ ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି। ଗତ କିଛି ବର୍ଷ ମଧ୍ୟରେ ଦରଦାମରେ ଆଶାତିତ ଭାବେ ବୃଦ୍ଧି ହୋଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ମୂଲ୍ୟ ଲଗାତର ଭାବେ ବଢ଼ିବାରେ ଲାଗିଛି।

ପାକିସ୍ତାନ ଫେଡେରାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ(ଏଫବିଏସ) ଅନୁସାରେ ଅକ୍ଟୋବର ୨୦୧୯ ମସିହାରୁ ୨୦୨୧ ଅକ୍ଟୋବର ମାସ ମଧ୍ୟରେ ବିଦ୍ୟୁତ୍ ମୂଲ୍ୟରେ ପ୍ରାୟ ୫୭ ପ୍ରତିଶତର ବୃଦ୍ଧି ହୋଇଛି। ଏହା ସହ ପେଟ୍ରୋଲ, ଡିଜେଲ, ଚିନି ଏବଂ କ୍ଷୀର ଆଦିର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ପାକିସ୍ତାନରେ ୭୦ ବର୍ଷ ମଧ୍ୟରେ ଦରଦାମ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଥିବା କୁହାଯାଉଛି। ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୫୦ ଟଙ୍କା ଅତିକ୍ରମ କରିଥିବାବେଳେ ଚିନି ମୂଲ୍ୟ ୧୦୦ ଟଙ୍କା ଟପିଛି।

କ’ଣ ଏହି ଆଳୁ ପ୍ରସଂଗ?

ଦେଶରେ ଅନ୍ୟ ସାମଗ୍ରୀଗୁଡ଼ିକ ଭଳି ଆଳୁ ଏବଂ ଟମାଟୋ ମୂଲ୍ୟରେ ମଧ୍ୟ କ୍ରମାଗତ ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଆଳୁ କିଲୋ ପିଛା ୬୦ ଟଙ୍କା ରହିଥିବାବେଳେ ଟମାଟୋ ମୂଲ୍ୟ କିଲୋ ପ୍ରତି ୮୦ ଟଙ୍କା ଟପିଛି। ଅଟା ଦର ଆକାଶ ଛୁଆଁ ହୋଇଛି। ଚିକେନ କିଣିବାକୁ ସାଧରଣ ଲୋକ ସାହସ ଜୁଟାଇପାରୁ ନାହାନ୍ତି। ବର୍ତ୍ତମାନ ଆଳୁ ଏବଂ ଟମାଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଯେତେବେଳେ ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନ ସରକାରଙ୍କୁ ସାଧାରଣ ଜନତା ଘେରିଥିଲେ ସେତେବେଳେ ଇମ୍ରାନ ଖାନ ନିଜ ପ୍ରତିକ୍ରିୟାରେ କହିଥିଲେ “ମୁଁ ଆଳୁ ଏବଂ ପିଆଜର ମୂଲ୍ୟ ଜାଣିବାକୁ ରାଜନୀତିକୁ ଆସିନାହିଁ”।

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଦରଦାମ ପ୍ରସଂଗକୁ ନେଇ ଜନଅସନ୍ତୋଷ ଜେତିବାରେ ଲାଗିଛି। ବର୍ତ୍ତମାନ ଚାରିଆଡୁ ସରକାରଙ୍କୁ ଘେରିଛନ୍ତି ଜନତା ଏବଂ ବିରୋଧୀ। ସହଯୋଗୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରୁ ଆସ୍ତା ହରାଇବାକୁ ଲାଗିଛନ୍ତି।

ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କରି ପାରିନାହାନ୍ତି ୫ ବର୍ଷ କାର୍ଯ୍ୟକାଳ

ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ଼ ଏବେ ଶାନ୍ତ ହେବାର ନାଁ ଧରୁନି। ବିବାଦରେ ଘେରି ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସଂକଟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଚୌକି। ନିଜର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ସେ ପଦରୁ ବିଦା ହେବା ନେଇ ଆଶଙ୍କା ଦେଖାଦେଇଛି।

କେବଳ ଇମ୍ରାନ ଖାନ ନୁହନ୍ତି। ପୂର୍ବରୁ ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିବାକୁ ଅସମର୍ଥ ହୋଇଛନ୍ତି। ସ୍ଵାଧୀନତା ପରେ ଭାରତ-ପାକିସ୍ତାନ ବିଭାଜନ ହେବାର ପ୍ରଥମ ୧୦ ବର୍ଷ ମଧ୍ୟରେ ୭ ଜଣ ପ୍ରଧାନମନ୍ତ୍ରୀ ଦେଶ ଶାସନର ଭାର ମୁଣ୍ଡାଇ ଥିଲେ।

କୁହାଯାଉଛି ପାକିସ୍ତାନର ବିକାଶରେ ବାଧକ ସାଜିଛି ଅସ୍ଥିର ରାଜନୀତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ୪ ବର୍ଷ ପୂର୍ଣ୍ଣ ହୋଇନାହିଁ। ଏବେ ପ୍ରଧାନମନ୍ତ୍ରୀଙ୍କ ଚୌକି ସଙ୍କଟରେ ରହିଛି।

ଏହା ପୂର୍ବରୁ ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଜଣ ପ୍ରଧାନମନ୍ତ୍ରୀ ଦେଶର କାର୍ଯ୍ୟ ଭାର ସମ୍ଭାଳି ସାରିଛନ୍ତି। ୨୬ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି। କହିବାକୁ ଗଲେ ମୋଟ ୧୯ ଜଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କୌଣସି ଜଣେ ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିପାରି ନାହାନ୍ତି। ଏହି ତାଲିକାରେ ଏବେ ଇମ୍ରାନ ଖାନଙ୍କ ନାଁ ଜୋଡ଼ି ହେବାକୁ ଯାଉଛି।

ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କଠାରୁ ନେଇ ଇମ୍ରାନ ଖାନଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀ ୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିବାକୁ ଅସମର୍ଥ ହୋଇଛନ୍ତି। କିନ୍ତୁ ନବାଜ ଶରିଫ ୪ ଥର ଏବଂ ବେନିଜିର ବୁଟ୍ଟୋ ୨ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଗୋଟିଏ ଗୋଟିଏ ପାଳିରେ ଏହି ଦୁଇ ତୁଙ୍ଗ ନେତା ମଧ୍ୟ ୫ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିପାରି ନାହାନ୍ତି।

Tags: #PakistanCrisis #PMImranKhan #PriceHike

LEAVE A REPLY

Please enter your comment!
Please enter your name here