ଓଡ଼ିଶାଲାଇଭ୍ ବ୍ୟୁରୋ
ସାଇକେଲ ଚୋରି କରି ଘରକୁ ଫେରିଲେ ଉତ୍ତରପ୍ରଦେଶର ଜଣେ ଶ୍ରମିକ। ହେଲେ ଚୋରି କରିଥିବାରୁ ସାଇକେଲ ମାଲିକଙ୍କ ପାଇଁ ଛାଡ଼ିଦେଇ ଥିଲେ ଚିଠି।
ଲକଡାଉନରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକ କୌଣସି ପ୍ରକାରେ ତାଙ୍କ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏହି ମୁଣ୍ଡଫଟା ଖରାରେ କିଏ ପାଦରେ ଚାଲି ଚାଲି ଯାଉଛନ୍ତି ତ କାହାକୁ ସାଇକେଲଟିଏ ସାହାରା ହୋଇଛି। ସେମିତି ଜଣେ ପ୍ରବାସୀ ଶ୍ରମିକ ହେଲେ ମହମ୍ମଦ ଇକବାଲ। ତାଙ୍କ ଘର ଉତ୍ତରପ୍ରଦେଶର ବରେଲିରେ। ସେ ରହୁଥିଲେ ରାଜସ୍ଥାନର ଭରତପୁରରେ। ଲକଡାଉନରେ ଘରକୁ ଫେରିବାକୁ ତାଙ୍କ ପାଖରେ ନଥିଲା କିଛି ଉପାୟ। ଶେଷରେ ବାଧ୍ୟ ହୋଇ ସେ ସାଇକେଲଟିଏ ଚୋରି କରିଥିଲେ।
ରାଜସ୍ଥାନର ଭରତପୁରଠାରୁ ୨୫୦ କିଲୋମିଟର ସାଇକେଲ ଚଳାଇ ୟୁପିରେ ବରେଲିରେ ପହଞ୍ଚିଥିଲେ। ତେବେ ଶ୍ରମିକ ଜଣକ ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ମଧ୍ୟ ହୋଇଥିଲେ। ସେ ସାଇକେଲ ମାଲିକ ସାହାବ ସିଂଙ୍କୁ କ୍ଷମା ମାଗି ଏକ ଚିଠି ଛାଡିଦେଇଥିଲେ। ଘର ବାରଣ୍ଡା ସଫା କରିବା ସମୟରେ ସାହାବ ସିଂ ଏହି ଚିଠି ପାଇଥିଲେ।
ଚିଠିରେ ଇକବାଲ ଲେଖିଥିଲେ, ‘‘ମୁଁ ଜଣେ ଶ୍ରମିକ, ମୁଁ ଚୋରି କରିବାକୁ ବାଧ୍ୟ। ମୁଁ ଆପଣଙ୍କ ସାଇକେଲ ନେଉଛି ଦୟାକରି ମୋତେ କ୍ଷମା କରିଦେବେ।’’
ଇକବାଲ ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ ତାଙ୍କ ସାଙ୍ଗରେ ତାଙ୍କର ଏକ ସନ୍ତାନ ଅଛି ଯିଏ ଦିବ୍ୟାଙ୍ଗ ଏବଂ ଚାଲିପାରେ ନାହିଁ।


















