ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ସବୁ ପ୍ରକାରର ସ୍ୱର ଓ ଶୈଳୀରେ ସଙ୍ଗୀତ ପରିବେଷଣ କରିବାରେ ଥିଲେ ଧୁରନ୍ଧର। ସଙ୍ଗୀତ ଜଗତକୁ ତାଙ୍କ ଅବଦାନ ପାଇଁ ସେ ଲୋକଙ୍କ ସ୍ମୃତିପଟ୍ଟରେ ସବୁଦିନ ପାଇଁ ଅମର।

ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ “କା କରୁ ସଜନୀ, ଆଏନା ବାଲମ” ଏହି ଧାରାରେ ଯିଏ ଓଡ଼ିଶାରେ “ବିତିଲାତ ଯାମିନୀ, ମଉଳିଲା କାମିନୀ”ର ସଙ୍ଗୀତ ସଂଯୋଜନା କରିଥିଲେ ସେ ଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ।

ବାଳକୃଷ୍ଣ ଦାଶ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସଙ୍ଗୀତକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଓଡ଼ିଶୀ ସଙ୍ଗୀତଜ୍ଞ। ଆଜି ସେହି ମହାନ ସଙ୍ଗୀତଜ୍ଞଙ୍କର ୯୭ ଜନ୍ମ ଜୟନ୍ତୀ। କଟକ ଜିଲ୍ଲାର ସୁନ୍ଦରଗାଁଠାରେ ୧୯୨୩ରେ ସାବିତ୍ରୀ ଅମାବାସ୍ୟା ତିଥିରେ ଜନ୍ମ ହୋଇଥିଲେ ବାଳକୃଷ୍ଣ।

ପିଲାଟି ଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ସେ ହୋଇଥିଲେ ଆକର୍ଷିତ। ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଆସିବା ପରେ ବାଳକୃଷ୍ଣ କଟକରେ ଓଡିଶୀ ସଙ୍ଗୀତ ପରମ୍ପରାର ପ୍ରବାଦ ପୁରୁଷ ଗୋକୁଳ ଶ୍ରୀଚନ୍ଦନଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ କୋଲକାତାରେ  ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ।

ବାଳକୃଷ୍ଣଙ୍କ କଣ୍ଠସ୍ୱର ଥିଲା ଯେତିକି ଗମ୍ଭୀର, ସେତିକି ତରଙ୍ଗାୟିତ। ଶ୍ରୋତାଙ୍କ ହୃଦୟରେ ତାଙ୍କର ସ୍ଵର ସୃଷ୍ଟି କରିଥିଲା ଅନନ୍ୟ ଅନୁଭୂତି।

“ବିତିଲା ତ ଯାମିନୀ ମଉଳିଲା କାମିନୀ”, “ଆସ ଜୀବନ ଧନ ମୋର ପଖାଳ କଂସା”, “ଆଗୋ ରାତିର ଏକାକିନୀ ବିହଙ୍ଗିନୀ”, “ପଥ ଅନାଇ ଝୁରି ଝୁରିରେ”, “ବସି କାନ୍ଦୁଥିବ ମାନିନୀ ପ୍ରାଣସଜନୀ”, “ଲାଜରେ ସରିଗଲି ଆଜ ସଜନୀ”, “ମୋହନ ହେ ମୋହନ ପ୍ରୀତିରେ ନାହିଁ କାରଣ”, “ସଙ୍ଗିନୀରେ ରାସ ରଙ୍ଗିନୀରେ”, “ମହୀମଣ୍ଡନା ତୁ ନ ମାର ମାର”, “ବନ୍ଧୁ ମୋ କାହୁଁ କିସ ଶୁଣିଲାରେ”, “ଥକାମନ ଚାଲ ଯିବା”, “ବାଧିଲା ଜାଣି କ୍ଷମା”, “ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ”, “ଉତ୍କଳ ମଉଡ଼ମଣି ହେ”, “ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ”, “ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି” ଆଦି ଅସଂଖ୍ୟ ଆଧୁନିକ, ଓଡିଶୀ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣରେ କଣ୍ଠଦାନ ଓ ସ୍ୱର ସଂଯୋଜନା କରି ସେ ବନିଯାଇଥିଲେ ଅପ୍ରତିଦ୍ଵନ୍ଦୀ।

ବସନ୍ତରାଗ ଉପରେ ପର୍ଯ୍ୟବେସିତ ପଲ୍ଲବୀ ରଚନା କରି ସେ ଓଡ଼ିଶୀ ନୃତ୍ୟରେ ପଲ୍ଲବୀର ଅଭାବ ମଧ୍ୟ ପୂରଣ କରିଥିଲେ। ୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, ମୋଟ ୧୮ଟି ଲୋକପ୍ରିୟ କ୍ଲାସିକ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି ।

ଶ୍ରୀଲୋକନାଥ, ନୂଆବୋଉ, ଅଭିନେତ୍ରୀ, ଅମଡ଼ାବାଟ, ମାଣିକଯୋଡ଼ି, ଶଙ୍ଖମହୁରୀ, ବସନ୍ତ ରାସ, ମଥୁରା ବିଜୟ ଭଳି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ବାଳକୃଷ୍ଣ।

କେବଳ ଏତିକି ନୁହେଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବାଳକୃଷ୍ଣ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରି ବହୁ ସଙ୍ଗୀତଜ୍ଞ ସୃଷ୍ଟି କରିଥିଲେ ।

ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ତୁଳସୀ ସମ୍ମାନ ଏବଂ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର, ଜୟଦେବ ପୁରସ୍କାର, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କଟକର କଳାବିକାଶ କେନ୍ଦ୍ର ତାଙ୍କୁ “ସଙ୍ଗୀତ ସୁଧାକର” ଉପାଧିରେ ଭୂଷିତ କରିଛନ୍ତି ।

Comment