ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ କ୍ଵାରେଣ୍ଟିନ୍‌ ସେଣ୍ଟରରେ ସାବିତ୍ରୀ ପାଳିଲେ ଅନ୍ତେବାସୀ ମହିଳା। ମନ୍ଦିରକୁ ଯାଇ ନପାରିଲେ ମଧ୍ୟ କ୍ଵାରେଣ୍ଟିନ ସେଣ୍ଟର ମଧ୍ୟରେ ରହି ଏହି ବ୍ରତ ପାଳନ କରିଛନ୍ତି ମହିଳାମାନେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କ୍ଵାରେଣ୍ଟିନ୍‌ ସେଣ୍ଟରରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରି ଇଷ୍ଟଦେବଙ୍କୁ ପୂଜାର୍ଚ୍ଚନା କରି ସ୍ଵାମୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି।

ଅନ୍ୟପକ୍ଷରେ ସାବିତ୍ରୀ ବ୍ରତ ପାଳନ କରିବାକୁ କିଛି ସରପଞ୍ଚ ମଧ୍ୟ ମହିଳାମାନଙ୍କୁ ନୂଆ ଶାଢ଼ୀ ଓ ଫଳମୂଳ ଯୋଗାଇ ଦେଇଛନ୍ତି। କେନ୍ଦ୍ରାପଡା ବ୍ଲକର ଗୁଲନଗର ମାଧ୍ୟମିକ ବିଦ୍ୟାଳୟରେ ୫ ଜଣ ମହିଳାଙ୍କୁ ଗୁଲନଗର ପଞ୍ଚାୟତର ସରପଞ୍ଚ ପିତବାସ ବେହେରା ନୂଆ ଶାଢ଼ୀ, ଶଙ୍ଖା ସିନ୍ଦୂର, ଫଳମୂଳ ଓ ପୂଜା ଉପକରଣ ଯୋଗାଇ ଦେଇଥିଲେ।

କେନ୍ଦ୍ରାପଡା ଜିଲ୍ଲାପାଳ ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟର ପରିଦର୍ଶନ କରିବା ବେଳେ ଗୁଲନଗର କ୍ଵାରେଣ୍ଟିନ୍‌ ସେଣ୍ଟରରେ ସରପଞ୍ଚ ପିତବାସଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ବ୍ରତ ପାଳନ ପାଇଁ ପୂଜାର୍ଚ୍ଚନା କରିବାବେଳେ ସମାଜିକ ଦୂରତା ବଜାୟ ରଖିବା ସହ ଅଲଗା ଅଲଗା ପୂଜା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

Comment