ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ଷ ବର୍ଷ ଧରି ଚାଲି ଆସୁଛି। ଭାରତର ଅନେକ ଅଞ୍ଚଳ ଅଛି ଯାହା ଉପରେ ଚୀନ ନିଜ ପତିଆରା ରଖିବାକୁ ଚେଷ୍ଟା କରୁଛି। ଏହା ମଧ୍ୟରୁ ଗୋଟିଏ ହେଉଛି ଅରୁଣାଚଳ ପ୍ରଦେଶ। ଏହା ଭାରତର ୨୪ତମ ରାଜ୍ୟ। ଭୌଗଳିକ ଦୃଷ୍ଟିରୁ ଉତ୍ତର-ପୂର୍ବ ଅଞ୍ଚଳରେ ଏହା ଭାରତର ସର୍ବବୃହତ ରାଜ୍ୟ।

ବହୁ ବର୍ଷ ହେବ ଚୀନ ଏହାକୁ ନିଜର ବୋଲି ଦାବି କରି ଆସୁଛି। ଏହାକୁ ଚୀନ ଦକ୍ଷିଣ ତିବ୍ଦତ ବୋଲି କହୁଛି। ହେଲେ ବହୁ ବର୍ଷ ପୂର୍ବେ ତିବ୍ଦତ ନିଜକୁ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷଣା କରିସାରିଛି। ହେଲେ ଚୀନ ଏହାକୁ ଅଣଦେଖା କରି ତିବ୍ଦତ ଉପରେ ନିଜ ଅଧିକାର ଦେଖାଉଛି। ତେବେ ଆସନ୍ତୁ ଜାଣିବା ଚୀନ୍‌ କାହିଁକି ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହୁଛି? ଏହା ପଛରେ କ’ଣ ରହିଛି କାରଣ?

ଚୀନ୍‌ ପ୍ରଥମେ ଅରୁଣାଚଳ ପ୍ରଦେଶର ଉତ୍ତରଭାଗ ତଓ୍ଵାଙ୍ଗ ଜିଲ୍ଲାକୁ ନିଜର ବୋଲି ଦାବି କରୁଥିଲା। ତଓ୍ଵାଙ୍ଗ ଅରୁଣାଚଳ ପ୍ରଦେଶର ଏକ ସୁନ୍ଦର ସହର, ଯାହା ହିମାଳୟ ପାଦଦେଶରେ ସମୁଦ୍ର ପତ୍ତନଠାରୁ ୩ ହଜାର ୫୦୦ ମିଟର ଦୂରରେ ଅବସ୍ଥିତ। ୧୭ତମ ଶତାବ୍ଦୀରେ ନିର୍ମାଣ ହୋଇଥିବା ବୌଦ୍ଧ ମନ୍ଦିର ମଧ୍ୟ ଏଠାରେ ଅଛି।

ପ୍ରଚୀନ କାଳରେ ଭାରତୀୟ ଶାସକ ଓ ତିବ୍ଦତୀୟ ଶାସକ ତିବ୍ଦତ ଓ ଅରୁଣାଚଳ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସୀମା ସ୍ଥିର କରିନଥିଲେ। କାରଣ ଏହି ଅଞ୍ଚଳରେ ମୋଗଲ ଓ ଇଂରେଜମାନଙ୍କ ଶାସନ ନଥିଲା। ତେଣୁ ଭାରତ ଓ ତିବ୍ଦତ ଏହି ସୀମାକୁ ନେଇ ଦ୍ଵନ୍ଦ୍ଵରେ ରହିଥିଲେ।

ଏହାର ସୀମା ନିର୍ଣ୍ଣୟ ପାଇଁ ୧୯୧୪ ମସିହାରେ ତିବ୍ଦତ, ଚୀନ୍ ଓ ବ୍ରିଟିଶ ଭାରତ ପ୍ରତିନିଧିମାନେ ଶିମଲାରେ ବୈଠକ ରଖିଥିଲେ। ସେତେବେଳେ ବ୍ରିଟିଶମାନେ ତାଓ୍ଵାଙ୍ଗ ଏବଂ ଦକ୍ଷିଣ ଭାଗକୁ ଭାରତର ଅଂଶ ଭାବେ ବିବେଚନା କରିଥିଲେ। ଏଥିରେ ତିବ୍ଦତମାନେ ରାଜି ହୋଇଥିଲେ, ହେଲେ ଚୀନ୍‌ ଏହାକୁ ଗ୍ରହଣ କରିନଥିଲା। ତେଣୁ ସଭା ଛାଡ଼ି ସେଠାରୁ ଚାଲିଯାଇଥିଲା।

ଚୀନ୍‌ କେବେ ହେଲେ ତିବ୍ଦତକୁ ଏକ ସ୍ଵାଧୀନ ରାଷ୍ଟ୍ର ବୋଲି ବିବେଚନା କରେ ନାହିଁ। ସେ ସବୁବେଳେ ଚାହେଁ କି ତାଓ୍ଵାଙ୍ଗ ତା ଅଧୀନକୁ ଆସିଯାଉ।

ତିବ୍ଦତ ବୌଦ୍ଧ ଧର୍ମୀଙ୍କ ପାଇଁ ତାଓ୍ଵାଙ୍ଗ ଏକ ପବିତ୍ର ସ୍ଥାନ। ୧୯୬୨ ମସିହାରେ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ବେଳେ ତାଓ୍ଵାଙ୍ଗକୁ ଚୀନ୍‌ କାବୁ କରି ନେଇଥିଲା। କିନ୍ତୁ ପରେ ପଛକୁ ଫେରିଯାଇଥିଲା ଚୀନ୍‌। ଏହାସହିତ ଭାରତ ପୁଣି ତାଓ୍ଵାଙ୍କଗୁ ନିଜ ଅଧୀନକୁ ଆଣିଥିଲା। ସାରା ବିଶ୍ଵ ତାଓ୍ଵାଙ୍ଗକୁ ଭାରତର ଅଂଶ ବୋଲି କୁହନ୍ତି। ହେଲେ ଚୀନ୍‌ ଏହାକୁ ଗ୍ରହଣ କରେ ନାହିଁ।

Comment