ଓଡ଼ିଶାଲାଇଭ୍ ବ୍ୟୁରୋ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଚୀନ ସେନା ଭାରତର ସୀମାରେ ପ୍ରବେଶ କରିଥିବା ବେଳେ ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ଚାଇନା ସହ ହୋଇଥିବା ସଂଘର୍ଷ ପ୍ରସଙ୍ଗରେ ସଂସଦରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

“ଅତି ସାହସିକତାର ସହ ଚୀନ ସେନାକୁ ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ଯବାନ ଚୀନ ସୈନିକଙ୍କୁ ଘଉଡେଇବାରେ ସଫଳ ହୋଇଛନ୍ତି। ଡିସେମ୍ବର ୯ ତାରିଖରେ ଚୀନ ସୈନ୍ୟ ଏଲଏସିର ସ୍ଥିତବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏହି ସଂଘର୍ଷବେଳେ ଉଭୟ ପଟର କିଛି ଯବାନ ଆହତ ହୋଇଥିଲେ, କିନ୍ତୁ ଏଥିରେ କୌଣସି ଭାରତୀୟ ଯବାନଙ୍କ ନିଧନ ହୋଇନାହିଁ। ଆଉ କେହି ଯବାନ ଗୁରୁତର ଭାବେ ଆହତ ମଧ୍ୟ ହୋଇନାହାନ୍ତି। ଘଟଣା ପରେ ୧୧ ଡିସେମ୍ବରରେ ଉଭୟ ଦେଶର କୋର କମାଣ୍ଡର ପରସ୍ପର ସହ ଆଲୋଚନା କରି ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି”, ସଂସଦରେ କହିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ପ୍ରତିରକ୍ଷା ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, “ଭାରତୀୟ ସେନା ଦେଶର ସାର୍ବଭୌମିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ। ଭାରତ ବିରୋଧରେ ହେଉଥିବା କୌଣସି ନକରାତ୍ମକ ପ୍ରୟାସକୁ ଅଟକାଇବା ପାଇଁ ଭାରତୀୟ ସେନା ସର୍ବଦା ତତ୍ପର। ମୋର ବିଶ୍ଵାସ ସଂସଦ ଆମ ସେନାର ବୀରତ୍ୱ ଓ ସାହସକୁ ଏକ ସ୍ଵରରେ ସମର୍ଥନ ଦେବେ’’।

ଏହି ଭାରତ-ଚୀନ ସଂଘର୍ଷକୁ ନେଇ ମଙ୍ଗଳବାର ସକାଳେ ପ୍ରତିରକ୍ଷା ମନ୍ତ୍ରୀ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସିଡିଏସ ଜେନେରାଲ ଅନିଲ ଚୌହାନଙ୍କ ସମେତ ବାୟୁସେନା ଏବଂ ନୌସେନାର ବରିଷ୍ଠ କମାଣ୍ଡରମାନେ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ନେଇ ସଂସଦରେ ବିବୃତ୍ତି ରଖିଛନ୍ତି।

“ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ଏବେ ସରକାର ଚାଲିଛି। କେହିବି ଭାରତର ଏକ ଇଞ୍ଚ ଜାଗା  ଅକ୍ତିଆର କରିପାରିବେ ନାହିଁ।  ଭାରତୀୟ  ବୀର ଯବନଙ୍କୁ ସଲାମ ଯେଉଁମାନେ ଭାରତର ସୀମାକୁ ସୁରକ୍ଷାରେ ନିଜ ଜୀବନକୁ ବାଜି ଲଗାଉଛନ୍ତି। କଂଗ୍ରେସ ସରକାର ଥିବା ବେଳେ ଚୀନ ଭାରତର ଅନେକ ଜାଗା ମାଡ଼ି ବସିଥିଲା। ସେମାନେ ଏହାକୁ ରୋକିବାରେ ବିଫଳ ହୋଇଥିଲେ।”, ସଂସଦରେ ବିରୋଧୀଦଳମାନଙ୍କ ହଙ୍ଗାମାକୁ ନିନ୍ଦା କରି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।

ତୱାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ସଂସଦରେ ବିରୋଧୀ ଦଳମାନେ ହଙ୍ଗାମା କରିଛନ୍ତି। ଉଭୟ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା।

ଡିସେମ୍ବର ୯ ତାରିଖ ରାତିରେ ତୱାଙ୍ଗର ମଟ୍ସୁ ସେକ୍ଟରରେ ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ୩୦୦ରୁ ଅଧିକ ସୈନ୍ୟ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ପେଟ୍ରୋଲିଙ୍ଗ କରିବା ବାହାନାରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲେ। ଭାରତୀୟ ସେନାର ଯବାନମାନେ ଚୀନର ଏହି ପ୍ରୟାସକୁ ପଣ୍ଡ କରିବା ସହ ସେମାନଙ୍କୁ ଦୃଢ ଜବାବ ଦେଇଥିଲେ।

Tags: #India-ChinaConflict #ArunachalPradesh #Tawang #IndianArmy #LAC #Parliament #DefenceMinister #RajnathSingh

Comment