ଓଡ଼ିଶାଲାଇଭ୍ ବ୍ୟୁରୋ

୨୭ ବର୍ଷର ତର୍କ ବିତର୍କର ଅନ୍ତ ପରେ ଭାରତରେ ଆସୁଛି ମହିଳା ସଂରକ୍ଷଣ ବିଲ୍। 

ଭାରତରେ ୨୭ ବର୍ଷର ଅପେକ୍ଷା ପରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବାର ବାଟ ଫଟିଛି। ଏହା ଲୋକସଭାରୁ ପାରିତ ହୋଇସାରିଥିବା ବେଳେ ରାଜ୍ୟ ସଭାରୁ ପାସ ହେବାର ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଏହା ଦେଶର ରାଜନୈତିକ ପ୍ରକ୍ରିୟାରେ ମହିଳାମାନଙ୍କ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ସୁନିଶ୍ଚିତ କରିବ।

ମହିଳା ସଂରକ୍ଷଣ ବିଲ୍ ଭାରତରେ ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବ ବୋଲି କେନ୍ଦ୍ର ସରକାର ତଥା ଅନେକ ରାଜନୈତିକ ଦଳମାନେ ମତ ରଖିଛନ୍ତି। ତେବେ ମହିଳାଙ୍କ ଲାଗି ଆସିବାକୁଥିବା ଏହି ବିଲ୍ ଆଜି କାଲିର ନୁହେଁ ବରଂ ଏହା ପଛରେ ଜଡ଼ିତ ରହିଛି ୨୭ ବର୍ଷର ଇତିହାସ।

ଭାରତୀୟ ରାଜନୀତିରେ ମହିଳାମାନଙ୍କୁ ସଂରକ୍ଷଣ

ଭାରତର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ୮୦ ଦଶକରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଲୋକସଭା, ବିଧାନସଭା ତ ଦୂରର କଥା ପଞ୍ଚାୟତ ତଥା ପୌର ନିର୍ବାଚନରେ ମହିଳାଙ୍କ ଭାଗୀଦାରୀ ଖୁବ ନଗଣ୍ୟ ଥିଲା।

୧୯୮୯ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ବା ୩୩ ପ୍ରତିଶତ ସିଟ୍ ସଂରକ୍ଷିତ କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଆଗତ କରିଥିଲେ। ହେଲେ ଲୋକସଭାରୁ ଏହା ପାସ ହୋଇଥିଲେ ମଧ୍ୟ ରାଜ୍ୟସଭାରୁ ପାରିତ ହୋଇପାରିନଥିଲା।

ଏହାପରେ ୧୯୯୨ ଓ ୧୯୯୩ ମସିହାରେ ପି ଭି ନରସିମହା ରାଓ ପ୍ରଧାନମନ୍ତ୍ରୀ ଥିବାବେଳେ ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ୭୨ ଓ ୭୩ ପାରିତ ହୋଇଥିଲା। ଏଥିରେ ଦେଶର ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବା ଆଇନରେ ପରିଣତ ହୋଇଥିଲା।

ପ୍ରଥମେ କେବେ ଆସିଥିଲା ମହିଳା ସଂରକ୍ଷଣ ବିଲ୍

ପି ଭି ନରସିମହା ରାଓଙ୍କ ସରକାରବେଳେ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧି ହୋଇଥିଲେ ମଧ୍ୟ ଲୋକସଭା ଓ ବିଧାନସଭା ଭଳି ନିର୍ବାଚନଗୁଡ଼ିକରେ ମହିଳାଙ୍କ ଅଂଶଗ୍ରହଣ ଖୁବ କମ୍ ହେଉଥିଲା। ଏହାରି ପରେ ପରେ ଆଜିର ଏହି ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଯୋଜନା ଆରମ୍ଭ ହୋଇଥିଲା।

୧୯୯୬ ମସିହା ସେପ୍ଟେମ୍ବର ୧୨ ତାରିଖରେ ଏଚ୍ ଡି ଦେବଗୌଡାଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ସଂସଦରେ ୮୧ ତମ ସମ୍ବିଧାନ ସଂଶୋଧନ ମଧ୍ୟମରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ। ଏଥିରେ ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବାର ପ୍ରାବଧାନ ରହିଥିଲା। ହେଲେ ଏହା ଲୋକସଭାରେ ପାରିତ ହୋଇପାରିନଥିଲା।

ସେତେବେଳେ ବିଲ୍ ଉପରେ ଅଧିକ ସମୀକ୍ଷା ପାଇଁ ଏହାକୁ ଏକ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଯାଇଥିଲା। ତେବେ କମିଟିର ରିପୋର୍ଟ ଆସିଥିଲେ ମଧ୍ୟ ୧୯୯୬ ମସିହାରେ ଦେବଗୌଡାଙ୍କ ସରକାର ଭାଙ୍ଗି ଯିବାରୁ ବିଲ୍ ଫେଲ ମାରିଥିଲା।

ଅଟଳ ବିହାରୀ ବାଜପେୟୀ ମଧ୍ୟ ବିଲ୍ ପାସ କରିବାକୁ ହୋଇଥିଲେ ବିଫଳ

ପରବର୍ତ୍ତୀ ସମୟରେ ୧୯୯୮ ମସିହାରୁ ୨୦୦୩ ମସିହା ମଧ୍ୟରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ଚାଲିଥିଲା। ୧୯୯୮, ୧୯୯୯, ୨୦୦୨ ଓ ୨୦୦୩ ମସିହାରେ କେନ୍ଦ୍ର ସରକାର ୪ ଥର ମହିଳା ସଂରକ୍ଷଣ ବିଲକୁ ସଂସଦରେ ଉପସ୍ଥାପନ କରିଥିଲେ।

ତେବେ ବିଲକୁ ଲୋକସଭାରୁ ସମର୍ଥନ ମିଲିଯାଉଥିଲେ ମଧ୍ୟ ହେଲେ ସବୁଥର ରାଜ୍ୟସଭାରୁ ଏହା ପାରିତ ହୋଇପାରୁନଥିଲା। ବାଜପେୟୀଙ୍କ ସରକାର ଯିବାପରେ ବିଲର ଭବିଷ୍ୟତ ଅନ୍ଧାରରେ ପଡ଼ି ଯାଇଥିଲା।

ୟୁପିଏ ସମୟରେ ମହିଳା ସଂରକ୍ଷଣ ବିଲ୍

୨୦୦୪ ମସିହାରେ କଂଗ୍ରେସ ନେତୃତ୍ଵରେ କେନ୍ଦ୍ରରେ ୟୁପିଏ ସରକାର ଆସିଲା। ପ୍ରଧାନମନ୍ତ୍ରୀ ହେଲେ ମନମୋହନ ସିଂହ। ୨୦୦୮ ମସିହା ମେ’ ୬ ତାରିଖରେ ୟୁପିଏ ସରକାର ୧୦୮ ତମ ସମ୍ବିଧାନ ସଂଶୋଧନ ବିଧେୟକ ଭାବେ ମହିଳା ସଂରକ୍ଷଣ ବିଲକୁ ସଂସଦରେ ଉପସ୍ଥାପନ କରିଥିଲେ। ହେଲେ ସତେବେଳେ ବିଲକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯାଇଥିଲା। ୨୦୦୯ ମସିହାରେ ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟ ଦେଇଥିଲା।

ଏହାପରେ ୨୦୧୦ ମସିହା ଫେବ୍ରୁଆରି ମାସରେ ମନମୋହନ ସିଂହ ଅଧ୍ୟକ୍ଷତାରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଥିଲା। ସେହିବର୍ଷ ମାର୍ଚ୍ଚ ମାସରେ ବିଲଟି ରାଜ୍ୟସଭାରେ ୧୮୬ଟି ଭୋଟ ପାଇ ପାରିତ ହୋଇଥିଲା।

ବିଲକୁ ବିଜେପି, ଜେଡିୟୁ ଓ ବାମ ଦଳମାନେ ସମର୍ଥନ କରିଥିଲ। ହେଲେ ୟୁପିଏ ମେଣ୍ଟରେ ଥିବା ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳର ବିରୋଧ ଯୋଗୁଁ ସତେବେଳେ କେନ୍ଦ୍ର ସରକାର ବିଲକୁ ଆଉ ଲୋକସଭାରେ ଆଗତ କରିନଥିଲେ। ଏହାର ୧୩ ବର୍ଷ ପରେ ଏବେ ଯାଇ କେନ୍ଦ୍ର ସରକାର ଏହି ମହିଳା ସଂରକ୍ଷଣ ବିଲ୍ ଆଣିଛନ୍ତି।

ମହିଳା ସଂରକ୍ଷଣ ବିଲର ଭବିଷ୍ୟତ

ମହିଳା ସଂରକ୍ଷଣ ବିଲ୍ ବୁଧବାର ଲୋକସଭାରେ ପାରିତ ହୋଇସାରିଛି। ଗୁରୁବାର ଏହା ରାଜ୍ୟସଭାରୁ ପାସ ହେବ ବୋଲି ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ହେଲେ ଏହା ୨୦୨୯ ମସିହା ନିର୍ବାଚନ ବେଳେ ହିଁ ଲାଗୁ ହେବ। ୨୦୨୪ ମସିହା ନିର୍ବାଚନ ପରେ ଦେଶରେ ଉଭୟ ଜନଗଣନା ଓ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ହେବ। ଏହାପରେ ଲୋକସଭା ସମେତ ରାଜ୍ୟର ବିଧାନସଭାଗୁଡ଼ିକର ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଠିକ୍ ଭାବେ ହୋଇପାରିବ।

Tags: #WomenReservationBill #WomeninPolitics #IndianParliament #Politics #India

Comment