ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଯୋଦ୍ଧା ହେଲେ କୋଭିଡ୍ ପଜିଟିଭ୍। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଞ୍ଚାୟତରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।ଏହି କରୋନା ଯୋଦ୍ଧାମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି। ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ରହିଛି।

ଅନ୍ୟପଟେ ଏହି ଘଟଣା ପରେ ମାର୍ଶାଘାଇ ପଞ୍ଚାୟତର ସରପଞ୍ଚ ଏହି ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ମାର୍ଶାଘାଇ ବଜାର ସମେତ ପଞ୍ଚାୟତର ଚାରୋଟି ୱାର୍ଡକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଉଛି। ଯଦି ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯିବ ତେବେ ତାଙ୍କର ସ୍ୱାବ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସଟଡାଉନ ଘୋଷିତ ହୋଇଥିବା ଅଞ୍ଚଳରେ ବର୍ତ୍ତମାନ ସମସ୍ତ ପ୍ରକାର ଦୋକାନ ପତ୍ର ବନ୍ଦ ରହିବ। ଏହି ଅଞ୍ଚଳ କେହି ବି ଲୋକ ପ୍ରବେଶ କିମ୍ବା ବାହାରକୁ ବାହାରି ପାରିବେ ନାହିଁ ବୋଲି କୁହାଯାଇଛି। ଏହି ଅଞ୍ଚଳର ଲୋକମାନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବାର ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବ। ତେବେ ଏହି ନିଷିଦ୍ଧାଞ୍ଚଳରେ ରହିଥିବା ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡାକଘର, ଡାକ୍ତରଖାନା ଓପିଡି ଆଦି ବନ୍ଦ ରହିବ ବୋଲି ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

Comment