ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ମହାମାରୀ କରୋନା କାରଣରୁ ଚୀନ ଏବେ ବିଶ୍ୱରେ ଏକଘରକିଆ ହୋଇ ପଡ଼ିଛି। ବିଭିନ୍ନ ଦେଶ ଏନେଇ ଚୀନକୁ ଘେରିବାକୁ ଆରମ୍ଭ କଲେଣି। ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ତାଇଓ୍ଵାନ ସହ ଚୀନ୍‌ର ସମ୍ପର୍କ ଖରାପ ହେବାରେ ଲାଗିଛି। ଏହା ଉପରେ ପୁଣି ଡବ୍ଲୁଏଚ୍‌ଓ ବିବାଦ ଯୋଗୁଁ ଆମେରିକା ମଧ୍ୟ ଚିନ୍‌ ଉପରେ କଟକଣା ଲଗାଇଛି।

ଡବ୍ଲୁଏଚ୍‌ଓ ଖେଞ୍ଚ

କରୋନା ଭାଇରସର ଉତ୍ପତ୍ତି ବିଷୟ ଯାଞ୍ଚ ହେବା ଦରକାର ବୋଲି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ବୈଠକରେ ଯେତେବେଳେ ଦାବି ଉଠିଲା, ଚୀନ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଥିଲା। କିନ୍ତୁ ଆନ୍ତର୍ଜାତିକ ସମୁଦାୟର ଚାପ ଯୋଗୁଁ ଚୀନ ବାଧ୍ୟ ହୋଇ ଏହି ଯାଞ୍ଚକୁ ସମର୍ଥନ କଲା।

ଆମେରିକାର ରାଗ

ବ୍ୟବସାୟ ବାଣିଜ୍ୟ (ଟ୍ରେଡ଼ ୱାର)କୁ ନେଇ ଚୀନ ଓ ଆମେରିକା ଭିତରେ ଢ଼େର ଦିନ ଧରି ଚାଲିଥିବା ଟଣାଓଟରା ଶେଷ ହୋଇଛି କି ନାହିଁ, ଏବେ ଆସିଲା କରୋନା ମହାମାରୀ। ଏହା ପ୍ରକୃତରେ ନିଆଁରେ ଘିଅ ଢାଳିବା ଭଳି କାମ କଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବହୁଦିନରୁ କହି ଆସିଛନ୍ତି ଯେ ଉହାନରୁ ଯେଉଁ ଭୂତଣୁ ବାହାରିଲା ତାହା ଚୀନ ପକ୍ଷରୁ ଜାଣିଶୁଣି କରାଯାଇଛି। ବିଶ୍ୱ ତମାମ ଏହି ଭାଇରସ ସଂକ୍ରମଣ ହୋଇଥିବାରୁ ଏଥିପାଇଁ ଚୀନକୁ ଆମେରିକା ଦାୟୀ କରି ଆସିଛି।

ଟ୍ରମ୍ପଙ୍କ କଟକଣା

ଇତି ମଧ୍ୟରେ ଟ୍ରମ୍ପ ଚୀନ ଉପରେ ଅନେକ କଟକଣା ଲାଗୁ କରିଛନ୍ତି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି କିଛି ଚୀନ ନାଗରିକଙ୍କୁ ଆମେରିକାରେ ପୂରେଇ ନଦେବା। ଖାଲି ସେତିକି ନୁହେଁ, ଅମେରିକାକୁ ଚୀନରୁ ଆସୁଥିବା ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ମଧ୍ୟ ଅନେକ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି। କିଛି ଦିନ ତଳେ ଆମେରିକାର ପାର୍ଲାମେଣ୍ଟରେ ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ବିଲ ଉପସ୍ଥାପିତ ହୋଇଛି।

ଭାରତ ସହିତ ଝଗଡ଼ା

ଏଣେ ଲଦାଖରେ ସଡକ ନିର୍ମାଣକୁ ନେଇ ଭାରତ ଓ ଚୀନ ମଧ୍ୟରେ ଟଣାଟାଣି ଏବେ ବି ଜାରି ରହିଛି। ଉଭୟ ଦେଶର ସୀମାରେ ସେନା ତମ୍ବୁ ଟାଣି ବସି ରହିଛନ୍ତି। ଚିନ୍ତା ବଢିବା ପରେ ଏବେ ଚୀନ ଶାନ୍ତିଦୂତ ସାଜି ଭାରତକୁ ପାଲେଇବାରେ ଲାଗିଛି। ଚୀନ କଦାପି ଭାବି ନଥିଲା ଯେ ଲଦାଖରେ ଭାରତ ଏତେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିବ। ଉଲ୍ଲେଖଯୋଗ୍ୟ ଯେ, ମେ ମାସରେ ସୀମା ବିବାଦକୁ ନେଇ ଚୀନ ଓ ଭାରତର ସୈନିକମାନେ ହାତାହାତି ହୋଇଥିଲେ ଓ ଉଭୟ ପକ୍ଷର ସୈନିକ ଆହତ ହୋଇଥିଲେ।

ଅଷ୍ଟ୍ରେଲିଆ ବି

ଅଷ୍ଟ୍ରେଲିଆ ସହିତ ମଧ୍ୟ ଚୀନର ଭଲ ପଟୁନାହିଁ। ଭାଇରସ ଉତ୍ପତ୍ତିର ଯାଞ୍ଚକୁ ଅଷ୍ଟ୍ରେଲିଆ ସମର୍ଥନ କରିବା ହେତୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡିଛି। ଦୁଇ ଦେଶ ପରସ୍ପରକୁ ଭଲ ଦି ପଦ ଶୁଣେଇବା ଦେଖାଯାଉଛି। କିଛି ଦିନ ତଳେ ଅଷ୍ଟ୍ରେଲିଆକୁ ଆମେରିକାର ‘ପୋଷା କୁକୁର’ ବୋଲି ଚୀନ କହିଥିଲା। ଏହି ମନ୍ତବ୍ୟକୁ ନେଇ ଅଷ୍ଟ୍ରେଲିଆ ଚୀନ ଉପରେ ଖପ୍ପା ହୋଇଛି। କୁହାଯାଉଛି ଅଷ୍ଟ୍ରେଲିଆରୁ କ’ଣ ସବୁ ସାମଗ୍ରୀ ଆମଦାନୀ ହେଉଛି ତା’ର ଏକ ତାଲିକା ଚୀନ ପ୍ରସ୍ତୁତ କରୁଛି। ଅଷ୍ଟ୍ରେଲିଆରୁ ଆସୁଥିବା ମାଂସ ଆମଦାନୀ ଉପରେ ଚୀନ ଆଗରୁ କଟକଣା ଜାରି କରିସାରିଛି।

ଏବେ ତାଇୱାନ

ତାଇୱାନକୁ ନେଇ ଚୀନ ତାର ତୋଡ଼ ଦେଖାଇବା ଆରମ୍ଭ କରିଛି। ନିକଟରେ ଜାଇ-ଝଙ୍ଗ ବେନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ ରକ୍ତ ଚାଉଳ ଚୋବାଉଛି। କିଛି ଦିନ ତଳେ ତାଇୱାନ ସୀମାରେ ଚୀନର ଦୁଇଟି ଜାହାଜ ପଇଁତରା ମାରିବା ଫଳରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଖୁବ ବଢ଼ି ଯାଇଥିଲା। ତାଇୱାନ ସବୁବେଳେ ଚୀନର ‘ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥା’କୁ ବିରୋଧ କରି ଆସିଛି। ଏହାର ଜବାବରେ ଚୀନ ସାମରିକ ଶକ୍ତି ପ୍ରୟୋଗ କରିବାର ଧମକ  ତାଇୱାନକୁ ଦେଉଛି।

Comment