ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଦେଶରେ ଲକ୍ଡାଉନ୍ ୫.୦ ଲାଗୁ କରିଛନ୍ତି। ହେଲେ ଏହା କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ଲାଗୁ ହୋଇଛି। କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ କଟକଣାକୁ ପୂରା କୋହଳ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ଏହି ଗାଇଡ୍ଲାଇନ୍ ଜୁନ୍ ୧ରୁ ୩୦ ତାରିଖ ଯାଏଁ ବଳବତ୍ତର ରହିବ।
ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ
ଲକ୍ଡାଉନ୍ ୪.୦ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହୁଥିଲା। ଲକ୍ଡାଉନ୍ ୫.୦ରେ ଏହି ନିୟମକୁ କିଛି ବଦଳା ଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ରହିବ ବୋଲି ନୂଆ ଗାଇଡ୍ଲାଇନ୍ ଜାରି କରି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
ସ୍କୁଲ, କଲେଜ ସମେତ ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି କେନ୍ଦ୍ର ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ନେବେ।
ଖୋଲିବ ଧାର୍ମିକ ସ୍ଥଳ ଓ ମଲ୍
ଲକ୍ଡାଉନ୍ ଲାଗୁ ହେବା ଦିନରୁ ସାରା ଦେଶରେ ଧାର୍ମିକ ସ୍ଥଳ ବନ୍ଦ ରହିଥିଲା। ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାର ଏବଂ ଚର୍ଚ୍ଚ ଆଦି ବନ୍ଦ ରହିଥିଲା। ହେଲେ ଏସବୁ ଲକ୍ଡାଉନ୍ ୫.୦ରେ ଖୋଲିବ ବୋଲି କେନ୍ଦ୍ର ସରକାର ସବୁଜସଙ୍କେତ ଦେଇଛନ୍ତି। ୮ ତାରିଖରୁ ପର୍ଯ୍ୟାୟକ୍ରମେ ସପିଂ ମଲ୍ ଏବଂ ଧାର୍ମିକ ସ୍ଥଳ ଖୋଲିବ ବୋଲି ସରକାର ସୂଚନା ଦେଇଛନ୍ତି।
ଅନ୍ୟ ରାଜ୍ୟକୁ ଯିବା ଆସିବାରେ କଟକଣା ଶେଷ
କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ବେଳେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯିବା ଆସିବା କରିବାରେ ପ୍ରତିବନ୍ଧକ ରହିଥିଲା। ହେଲେ କେନ୍ଦ୍ର ସରକାର ଏହି ପ୍ରତିବନ୍ଧକକୁ ଲକ୍ଡାଉନ୍ ୫.୦ରେ ହଟାଇ ଦେଇଛନ୍ତି। ଏହାସହ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବାରେ ମଧ୍ୟ କୌଣସି କଟକଣା ନଥିବା ନୂଆ ଗାଇଡ୍ଲାଇନ୍ରେ ଦର୍ଶାଯାଇଛି। ହେଲେ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ନିହାତି ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି।
ରାଜ୍ୟକୁ ଅଧିକ କ୍ଷମତା
ଲକ୍ଡାଉନ୍ ୫.୦ରେ ରାଜ୍ୟ ସରକାରମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି। ମେଟ୍ରୋ ଏବଂ ବସ୍ ସେବା କେଉଁଠି ଆରମ୍ଭ କରାଯିବ ଏବଂ କେଉଁଠି ହେବନି ତାହା ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ।
କାହା ଉପରେ କଟକଣା?
ପୂର୍ବପରି ଜିମ୍, ସିନେମା ହଲ୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ। ସର୍ବସାଧାରଣ ସ୍ଥାନ ଓ ଗାଡ଼ିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅତିକମ୍ରେ ୬ ଫୁଟ ଦୂରତା ରକ୍ଷା କରିବା ଦରକାର। ଦୋକାନରେ କେମିତି ସାମାଜିକ ଦୂରତା ରକ୍ଷା କରାଯିବ ତାହା ଦୋକାନୀମାନେ ନିର୍ଦ୍ଧାରଣ କରିବେ।
ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ଧୂମପାନ ଓ ମଦ୍ୟପାନ କରିବାକୁ ବାରଣ କରାଯାଇଛି। ଏହାସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି। ଧାର୍ମିକ ସମାବେଶ ଏବଂ ବଡ଼ ସମାବେଶକୁ ନା କୁହାଯାଇଛି। ବାହାଘରରେ ୫୦ରୁ ଅଧିକ ଏବଂ ଶବଦାହ କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।
















