ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ପାଇଁ ବିନା ଭକ୍ତ ଓ କମ ପୂଜା ପଣ୍ଡାଙ୍କୁ ନେଇ ଅନୁଷ୍ଠିତ ହେବ ସ୍ନାନ ଯାତ୍ରା। ଏହାସହ ସ୍ନାନଯାତ୍ରା ଶେଷ ପର୍ଯ୍ୟନ୍ତ ବଳଦେବଜୀଉଙ୍କ ମନ୍ଦିରରେ ୧୪୪ ଧାରା ଲାଗୁ ହେବ।

୫ ତାରିଖ ସକାଳ ୬ଟାରୁ ୭ ଟା ମଧ୍ୟରେ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ଅଣିଯିବ। ୧୦ଟା ବେଳେ ନିତି ସ୍ନାନ, ମଧ୍ୟାହ୍‌ଣ ୧୨ଟାରେ ବଲ୍ଲଭ ମଣୋହୀ, ୧ଟାରେ ମଙ୍ଗଳାର୍ପଣ, ୧ଟା ୩୦ରେ ମହାପ୍ରଭୁଙ୍କର ଗଜବଦନ ବେଶ କରାଯିବ ଓ ସନ୍ଧ୍ୟା ୭ଟାରେ ଶ୍ରୀଜୀଉୁମାନଙ୍କୁ ଧାଡ଼ି ପହଣ୍ଡିରେ ଅଣସର ଗୃହକୁ ଗମନ କରିବେ। ପୂର୍ବ ନିତୀ ନିର୍ଘଣ୍ଟ ଅନୁସାରେ ସମସ୍ତ ନିତି କାନ୍ତି ବଜାୟ ରହିବ।

ପ୍ରତି ବର୍ଷ କେନ୍ଦ୍ରାପଡାର ତୁଳସୀ କ୍ଷେତ୍ରରେ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଧୁମଧାମରେ ପାଳନ କରାଯାଏ। ମହାପ୍ରଭୁଙ୍କର ସ୍ନାନ ବେଦୀକୁ ଧାଡ଼ି ପହଣ୍ଡିରେ ଆସିବାଠାରୁ ଦୋଳମଣ୍ଡପରେ ବିଜେ କରିବା, ୧୦୮ ଗରା ପାଣିରେ ଚନ୍ଦନ ସ୍ନାନ କରିବା, ହାତୀ ବେଶରେ ସଜେଇ ହେବା ଆଦି ଭିନ୍ନ ଭିନ୍ନ ପୂଜାର ସମ୍ଭାରରେ ବିରାଜିତ ହୁଅନ୍ତି ମହାପ୍ରଭୁ ବଳଦେବଜୀଉ, ଦେବୀ ଶୁଭଦ୍ରା ଓ ସାନଭାଇ ଜଗନ୍ନାଥ। ନିକଟରୁ ଭଗବାନଙ୍କୁ ଦେଖିବା ସୌଭାଗ୍ୟ ପାଇଥାନ୍ତି ଭକ୍ତ।

ହେଲେ ଏବର୍ଷ ଆଉ ଭକ୍ତ ଓ ଭଗବାନଙ୍କ ଭେଟଘାଟ ହେବନି। ଭଗବାନ ଏକାଏକା ସ୍ନାନ ବେଦୀର ସ୍ନାନ କରିବେ। କରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଜନସମାଗମକୁ ବାରଣ କରାଯାଇଛି। କେବଳ କେତେକ ନିର୍ଦ୍ଦିଷ୍ଟ ମହାଜନ ପାଣିଗ୍ରାହୀ ଓ ପାଳିଆ ପଣ୍ଡାଙ୍କ ଦ୍ଵାରା ସମାହିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉତ୍ସବ।

ମହାପ୍ରଭୁଙ୍କର ଏହି ଉତ୍ସବକୁ ପାଳନ କରିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି। ମନ୍ଦିର ଦେବୋତ୍ତର ବୋର୍ଡର ସଭାପତି ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ମନ୍ଦିରର ସେବାୟତ, ପୂଜା ପଣ୍ଡା, ମହାଜନ ପାଣିଗ୍ରାହୀ, ମନ୍ଦିର ପରିଚାଳକ ଯୋଗଦେଇଥିଲେ। କରୋନା କଟକଣାର ନିୟମ ମାନି ସିମିତ ପୂଜାପଣ୍ଡା ଓ ମହାଜନପାଣିଗ୍ରାହୀ ବ୍ରାହ୍ମଣମାନେ ଏହି ଉତ୍ସବରେ ଯୋଗ ଦେବେ ବୋଲି ଏଥିରେ ନିଷ୍ପତ୍ତି ହୋଇଥିଲା।

Comment