ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ କ୍ଵାରେଣ୍ଟାଇନ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଏଣିକି ବାହାରୁ ଫେରିଥିବା ବ୍ୟକ୍ତିମାନେ ୭ ବଦଳରେ ୧୪ ଦିନ କ୍ଵାରେଣ୍ଟିନରେ ରହିବେ। ଗତ କିଛି ଦିନ ହେବ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାକୁ ପ୍ରବାସୀଙ୍କ ଘର ବାହୁଡା ପରେ ସବ୍ ଡିଭିଜନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଏହାର ମୂଳ କାରଣ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍ ସମୟକୁ ପରିବର୍ତ୍ତନ କରି ୭ ଦିନ କରାଯାଇଥିଲା, ଯାହା ଫଳରେ ପ୍ରବାସୀମାନେ ୭ ଦିନ ଅବଧି ସରିବା ପରେ ନିଜ ନିଜ ଘରକୁ ଫେରିଥିଲେ। ଏହାପରେ ସେମାନଙ୍କର ମଧ୍ୟରୁ ଅନେକଙ୍କ ନମୁନା ପଜିଟିଭ୍ ଆସିଛି।
ଏହାକୁ ନଜର ରଖି ସରକାରୀ କ୍ଵାରେଣ୍ଟାଇନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଣିକି ୭ ଦିନ ବଦଳରେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକ୍ ବିଡିଓଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହାସହ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି। ଘରକୁ ଯିବା ପରେ ମଧ୍ୟ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଉପରେ ୭ ଦିନ ନଜର ରଖିବାକୁ କୁହାଯାଇଛି।


















