ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ସରକାରଙ୍କ ଆଉ ଏକ ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣିକି ଦିଲ୍ଲୀରେ କରୋନା ରୋଗୀଙ୍କୁ ଚିକିତ୍ସା ହେବା ଲାଗି ଆଧାରକାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ଆଦି ଭିତରୁ ଗୋଟିଏ ଆବଶ୍ୟକ। ଏହି ପରିଚୟ ପତ୍ର ବିନା ଦିଲ୍ଲୀରେ ଲୋକମାନେ କରୋନା ଚିକିତ୍ସା କରାଇପାରିବେ ନାହିଁ।

ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଟପିସାରିଲାଣି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତକାଲି ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କର ହିଁ ଚିକିତ୍ସା ହୋଇପାରିବ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଏନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି।

ଏଥିରେ କୁହାଯାଇଛି ଯେ, ଏଣିକି ଦିଲ୍ଲୀରେ ସରକାରୀ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲରେ ମଧ୍ୟ କରୋନା ସଂକ୍ରମିତଙ୍କ ଚିକିତ୍ସା ହୋଇପାରିବ। ତେବେ ସେହି ରୋଗୀ ଜଣକ ଦିଲ୍ଲୀର ବାସିନ୍ଧା ହୋଇଥିବା ଦରକାର। ଏଥିପାଇଁ ସେମାନଙ୍କୁ ହସ୍ପିଟାଲରେ ନିଜର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ବୋଲି କୁହାଯାଇଛି।

ଏଥିସହିତ ଲୋକମାନେ ବ୍ୟାଙ୍କ୍ ପାସବୁକ୍ ନମ୍ବର, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଙ୍ଗ୍ ଲାଇସେନ୍ସ ଆଦି ଦେଖାଇ ମଧ୍ୟ ଦିଲ୍ଲୀରେ କରୋନା ଚିକିତ୍ସା କରାଇପାରିବେ ବୋଲି କୁହାଯାଇଛି।

Comment