ଓଡ଼ିଶାଲାଇଭ୍ ବ୍ୟୁରୋ
- ଜୁନ୍ ୧୪ରେ ଲୋକକଳା ଦିବସ
- କରୋନା ପାଇଁ ମଣ୍ଡପ ବନ୍ଦ
- ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେବ ଉତ୍ସବ
ମହାମାରୀ କରୋନା ଯୋଗୁଁ ଏଥର ସବୁ ଉତ୍ସବ ଫିକା ପଡ଼ିଛି। ଫଳରେ ଉତ୍ସବ ପାଳିବା ପାଇଁ ଏକମାତ୍ର ମାଧ୍ୟମ ସାଜିଛି ଡିଜିଟାଲ ପ୍ଲାଟଫର୍ମ। ଏଥର ଲୋକକଳା ଦିବସ ମଧ୍ୟ ଡିଜିଟାଲି ପାଳିତ ହେବ। ଜୁନ୍ ୧୪ରେ ପଡ଼ୁଥିବା ଏହି ଦିବସକୁ ମୋବାଇଲ ମାଧ୍ୟମରେ ଲୋକ ଓ କଳାକାରଙ୍କ ନିକଟରେ ପହଞ୍ଚା ଯିବାକୁ ବ୍ୟବସ୍ଥା ଚାଲିଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏବର୍ଷ ଦ୍ୱିତୀୟ ଥର ଏହି ଦିବସ ପାଳନ ହେବାକୁ ଯାଉଛି। କିନ୍ତୁ କରୋନା ଯୋଗୁଁ ଏଥର ମଞ୍ଚ, ମଣ୍ଡପ ବନ୍ଦ।
‘‘କିଛି ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ପ୍ରସାରଣ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ, ଏବଂ କିଛି ଲୋକପ୍ରିୟ ଲୋକକଳା କଳାକାର ଏହାରି ମାଧ୍ୟମରେ ନିଜର ବାର୍ତ୍ତା ରଖିବେ’’, କହିଛନ୍ତି ରାଜ୍ୟ ଲୋକକଳା ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ।
ସେହିପରି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଦିବସର ରେକର୍ଡିଂ ପ୍ରସାରଣ କରାଯିବ। ଆବଶ୍ୟକ ସ୍ଥଳେ ପୂର୍ବ ବର୍ଷର ରେକର୍ଡିଂକୁ ମଧ୍ୟ ପ୍ରସାରଣ କରାଯିବ।
ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ, ସଡ଼ିଆ ଭାଷା ପ୍ରତିଷ୍ଠାନର ‘ପୁସ୍ତକ ଚର୍ଚ୍ଚା’ ଓ ରାଜ୍ୟ ଅଭିଲେଖା ଗାରର ‘ସଂସ୍କୃତି ଚର୍ଚ୍ଚା’ ସୋସିଆଲ ମିଡିଆରେ ପ୍ରସାରିଜ ହୋଇଛି ସେହିଭଳି ଲୋକକଳା ଦିବସରେ ନାଚ, ଗୀତ ପ୍ରସାରିତ ହେବ।
ଅନ୍ୟପକ୍ଷରେ ରାଜ୍ୟ ସରକାର ବ୍ୟକ୍ତିଗତ କଳାକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତ କରୁଛନ୍ତି। ଏହା ପୂରା ହେଲାପରେ ଓ୍ୱେବସାଇଟରେ ଅପଲୋଡ କରାଯିବ। ବିଭିନ୍ନ ଜରୁରୀ ସମୟରେ ଏହି ଡାଟାବେସକୁ କାମରେ ଲଗାଯିବ। ଜୁନ୍ ୩୦ ସୁଦ୍ଧା ଡାଟା ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ଏପ୍ରିଲ ୧ ତାରିଖରେ ଲୋକକଳା ସଂଘ ଉଦଘାଟନ କରିଥିଲେ। ସେବେଠାରୁ ପ୍ରତିବର୍ଷ ୩ ଦିନିଆ ରାଜ୍ୟ ସ୍ତରୀୟ ଉତ୍ସବ, ଜିଲ୍ଲା ଲୋକକଳା ଉତ୍ସବ, ପ୍ରତ୍ୟେକ ମାସରେ ଆମ ଲୋକ କଳା ଓ ଆମ ସଂସ୍କୃତି ଉତ୍ସବ ପାଳିତ ହେଉଛି। ୨୦୧୯ରେ ପ୍ରଥମ ଥର ଲୋକ କଳା ଦିବସ ପାଳିତ ହୋଇଥିଲା।