ଓଡ଼ିଶାଲାଇଭ୍ ବ୍ୟୁରୋ

Jamara

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ) : କୋଣାର୍କ ଚାରିଛକ ରାସ୍ତାର ଗୋପ ରେଞ୍ଜ ଅଧିନସ୍ଥ ଜମରାଠାରେ ଦୁଇଟି ବେଆଇନ୍ କରତକଳ ଉପରେ ହୋଇଛି ଭିଡିଲାନ୍ସ ଚଢ଼ାଉ। ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଏବଂ ପୁରୀ ବନ ବିଭାଗର ମିଳିତ ଉଦ୍ୟମରେ ଏହି ଚଢ଼ାଉ ହୋଇଥିଲା। ଏହି ଚଢାଉରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଯନ୍ତ୍ରାଂଶ ଓ ଆକାଶୀ, ପଟାସ ଆଦି କାଠ ଗଣ୍ଡି ଜବତ କରାଯାଇଛି।

ତେବେ କେବଳ ଜମରା ନୁହେଁ, ଗୋପ-ନିମାପଡା ବ୍ଲକର ଵିଭିନ୍ନ ସ୍ଥାନରେ ସରକାରୀ ନିୟମକୁ ଏହିପରି ଖୋଲାଖୋଲି ଭାବରେ ଉଲ୍ଲଘଂନ କରାଯାଉଛି। ଏହି ସ୍ଥାନଗୁଡ଼ିକରେ ବେଆଇନ ଭାବେ ଦୀର୍ଘଦିନ ଧରି କରତକଳମାନ ଚାଲିଆସୁଛି।

ପିପିଲି-କୋଣାର୍କ ରାସ୍ତା , ଚାରିଛକ-ବାଲିଘାଇ ରାସ୍ତା ଏଵଂ ନିମାପଡା-ଅସ୍ତରଙ୍ଗ ରାସ୍ତା ଧାରରେ ବେଆଇନ ଭାବେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କରତକଳ ଚାଲିଥିବାର ସୂଚନା ମିଳୁଛି। ଏନେଇ ଏକାଧିକ ଥର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ମଧ୍ୟ କରାଯାଇଛି ହେଲେ କୌଣସି ଲାଭ ମିଳିନାହିଁ। ଏହି ବେଆଇନ କରତକଳର ମାଲିକମାନଙ୍କୁ ଚଢ଼ଉର ପୂର୍ବ ସୂଚନା ମିଳିଯାଉଥିବାରୁ ଭିଜିଲାନ୍ସ ବିଭାଗ ନିଜ କାର୍ଯ୍ୟରେ ନାକାମ ରହିଥିଲା।

କିନ୍ତୁ ଆଜି ଅତି ସତର୍କତାର ସହ ହଠାତ୍ ଚଢ଼ଉ ହେବା ଫଳରେ ଜମରାଠାରେ ଏହି ଦୁଇ ବେଆଇନ କରତକଳ ଜବତ କରାଯାଇଛି। ସ୍ଥାନୀୟ ଲୋକମାନେ ପ୍ରଶାସନର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହ ଏପରି ଚଢ଼ଉ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା ରଖିଛନ୍ତି।

Comment