ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ଗହଳି କାରଣରୁ ଭୁବନେଶ୍ୱର ମାର୍କେଟ ବିଲଡିଂକୁ ସିଲ୍ କଲା ବିଏମସି। ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରୁନଥିବା କାରଣରୁ ବିଏମସି ଜୋନାଲ ଡେପୁଟି କମିଶନର ମାର୍କେଟ ବିଲଡିଂକୁ ସିଲ୍ କରିଦେଇଛନ୍ତି।

ଆଗକୁ ରଜ ଆସୁଥିବା କାରଣରୁ ଲୋକମାନେ କିଣାବିକା କରିବା ପାଇଁ ଆଜି ମାର୍କେଟ ବିଲଡିଂରେ ଭିଡ଼ ଲଗାଇଥିଲେ। ଭିଡ଼ ଏପରି ଥିଲା ଯେ, ସେଠାରେ କେହି ବି କୋଭିଡ୍ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିନଥିଲା। ଏପରିକି କିଛି ଲୋକ ବିନା ମାସ୍କରେ ମାର୍କେଟରେ ବୁଲୁଥିବା ମଧ୍ୟ ନଜର ଆସିଥିଲା। ଅନ୍ୟପଟେ ଦୋକାନୀମାନେ ମଧ୍ୟ ରାଜ୍ୟ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଥିଲେ। ଏହି ସବୁ କାରଣରୁ ବିଏମସି ମାର୍କେଟ ବିଲଡିଂକୁ ସିଲ୍ କରିଦେଇଛନ୍ତି।

ଏହାପରେ ସେଠାରେ ପୋଲିସ୍ ଓ ବିଏମସି ଅଫିସରମାନେ ପହଞ୍ଚିଛନ୍ତି। ଦୋକାନୀ ଓ ଲୋକମାନଙ୍କୁ ସେଠାରୁ ବାହାର କରିବା ସହିତ ତୁରନ୍ତ ସେହି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସ୍ଥଳରେ ପୋଲିସକୁ ମଧ୍ୟ ମୂତୟନ କରାଯାଇଛି। ଦୋକାନୀମାନଙ୍କୁ ମଧ୍ୟ ତୁରନ୍ତ ଦୋକାନ ବନ୍ଦ କରିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଆଜି ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ନିୟମକୁ କୋହଳ କରିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଲୋକମାନେ  ବିଭିନ୍ନ ସ୍ଥାନରେ ଗହଳି କରି ଜିନିଷ ପତ୍ର କିଣାକିଣି କରୁଥିବା ନଜର ଆସିଛି।

Comment